ପୁରୀ : ପିପିଲି ସାତସଙ୍ଖ ଅଞ୍ଚଳରେ ବିହନ କେନ୍ଦ୍ରରେ ଜାଗା ଅଭାବରୁ ନଷ୍ଟ ହେଉଛି ବସ୍ତା ବସ୍ତା ଧାନ

30

କନକ ବ୍ୟୁରୋ : ବିହନ କେନ୍ଦ୍ରରେ ଧାନ ରଖିବା ଜାଗା ନଥିବାରୁ ବସ୍ତା ବସ୍ତା ଧାନ ବାହାରେ ଓଦା ହୋଇ ନଷ୍ଟ ହେଉଛି । ଓଦା ଧାନ ଶୁଖେଇବା ପାଇଁ ଧାନ ଖଳା ମଧ୍ୟ ନାହିଁ । ପିପିଲି ସାତସଙ୍ଖ ଧାନ ବିହନ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଏପରି ଅସୁବିଧା ଭୋଗୁଛନ୍ତି ଖୋଦ କୃଷିମନ୍ତ୍ରୀଙ୍କ ଅଂଚଳର ଲୋକେ ।

ବର୍ଷା ଯୋଗୁଁ ଧାନ ସବୁ ଗୋଦାମ ବାହାରେ ଓଦା ହୋଇ ପଡି ରହିଛି । ଚାଷୀମାନଙ୍କ ଚାହିଦାକୁ ଲକ୍ଷ୍ୟ ରଖି ଏଠାରେ ବିହନ ଉତ୍ପାଦନ କରାଯାଏ । କିନ୍ତୁ ଏଠି ଚାଷୀମାନେ ବିଭିନ୍ନ ଅଂଚଳରୁ ଆଣୁଥିବା ଧାନ ରଖିବା ପାଇଁ କୌଣସି ସୁବିଧା ସୁଯୋଗ ନାହିଁ । ଯାହାଫଳରେ ବସ୍ତା ବସ୍ତା ଧାନ ବାହାରେ ପଡିି ଓଦା ହେଉଛି । ଚାଷୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିହନ ପ୍ରସ୍ତୁତ କରାଯାଏ ।

କିନ୍ତୁ କେବଳ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିହନ ସଂଗ୍ରହ କେନ୍ଦ୍ରର ଏଏସପିଓ । ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଥିବା ଖବର ନଜର ଆସୁଛି । ବିହନ ସଂଗ୍ରହ କେନ୍ଦ୍ର ଅଭାବରୁ ବାହାରେ ବସ୍ତା ବସ୍ତା ଧାନ କ୍ଷତ ଖାଉଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ।