ଚକଡା ପାଇଁ ଆତ୍ମହତ୍ୟା କରୁଛନ୍ତି ଚାଷୀ ! ବଢିଚାଲିଛି ବିଷପାନର ତାଲିକା

18

କନକ ବ୍ୟୁରୋ : ଚକଡା ନେଉଛି ଚାଷୀ ଜୀବନ । ବଢିଚାଲିଛି ବିଷପାନର ତାଲିକା । ଭାଙ୍ଗିଯାଇଛି ଅଲିଅଳି ଝିଅର ସ୍ୱପ୍ନ । ବାପାଙ୍କ ଆତ୍ମହତ୍ୟା ପରେ ଏବେ ପାଠ ପଢୁଆ ଝିଅର ମୁଣ୍ଡ ଉପରେ ପରିବାରର ବୋଝ । ସମ୍ବଲପୁର ଜିଲ୍ଲା ମାନେଶ୍ୱରପୁର ବ୍ଲକର ରାସନପୁର ଗାଁର କାହ୍ନୁ ମୁଣ୍ଡାଙ୍କ ପରିବାରର କାହାଣୀ । ଋଣ ଆଣି ଭାଗ ଚାଷ କରିବା ପରେ ଚକଡା ପୋକ ଉଜାଡି ଦେଇଥିଲା ସମ୍ପୂର୍ଣ୍ଣ ଫସଲ । ଫଳରେ ମାନସିକ ଚାପରେ କାହ୍ନୁ ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।

ସେପଟେ ସମାନ କାରଣ ପାଇଁ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ କୁଅଁରକେଲାର ଚାଷୀ ମନୋଜ ସିଂ ଫସଲହାନୀ ଯୋଗୁ ଆତ୍ମହତ୍ୟା କରିଛନ୍ତି । ଚାଷୀ ଆତ୍ମହତ୍ୟା ଅଭିଯୋଗ ପରେ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି । ଫସଲହାନୀ କାରଣରୁ ବରଗଡର ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ପରେ ଲମ୍ବି ଚାଲିଛି ଚାଷୀ ଆତ୍ମହତ୍ୟାର ତାଲିକା । ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ସରକାରଙ୍କ ପ୍ୟାକେଜ ଘୋଷଣା ମଧ୍ୟ ଏଥିରେ ରୋକ୍ ଲଗାଇବାରେ ସଫଳ ହେଉନି ।