ଚାଷୀ ମୁହଁରେ ଫେରିଲା ହସ : ବର୍ଷା ପରେ ଧାନରୁଆ ଓ ବେଉସଣ କାମରେ ବ୍ୟସ୍ତ ଚାଷୀପୁଅ

160

କନକ ବ୍ୟୁରୋ : ଚାଷୀ ମୁହଁରେ ଫେରିଲା ହସ । ଚାଷୀଙ୍କୁ ଆଶ୍ୱସ୍ତି ଆଣିଦେଲା ବର୍ଷା । ଏତେ ଦିନର ଶୁଖିଲା ପରେ ବର୍ଷା ଆସିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ହୋଇଥିବା ବର୍ଷା ପରେ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି ଚାଷୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ବର୍ଷା ପରେ ଧାନ ରୁଆ ଓ ବେଉସଣ କାମରେ ଲାଗିଛନ୍ତି ଚାଷୀ ।

 

ଚାଷୀ ମନରେ ଆଶା ସଂଚାର କରିଛି ଉତର ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଉଭାନ ହୋଇ ଯାଇଥିବା ମୌସୁମୀକୁ ପୁଣି ଥରେ ସକ୍ରିୟ କରିଛି ଘୁର୍ଣ୍ଣିବଳୟ । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ଚାଷ ଜମିକୁ ଓଦା କରିବା ସହ ଚାଷୀମନକୁ କିଛି ମାତ୍ରାରେ ହାଲୁକା କରିଛି । ବର୍ଷାରେ ଚାଷ ଜମି ଭିଜିବା ପରେ ଧାନ ତଳିରେ ଜୀବନ ପସିଛି । ଆଉ ଏ ହେଉଛି ଜଗତସିଂହପୁର ଚାଷ ଜମିର । ବର୍ଷା ହେବା ପରେ ଆସନ୍ନ ମରୁଡି ଆଶଙ୍କା ଦୂରେଇ ଯାଇଥିବା ବେଳେ ଚାଷୀ ଟ୍ରାକ୍ଟର ସାହାର୍ଯ୍ୟରେ ବିଲ କାଦୁଅ କରିଛି । ଆଉ ବିଳମ୍ବରେ ହେଉ ପଛେ ଏବେ ବେଉଷଣ ସହ ଧାନ ରୁଆ କାମକୁ ଆଗେଇ ନେଇଛି ଚାଷୀକୂଳ ।

ଚଳିତ ଶ୍ରାବଣର ପ୍ରଥମ ଲଗାଣ ବର୍ଷା, ମରୁଡି ଆଶଙ୍କାରେ ଥିବା ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ଚାଷ କରି ପେଟ ପୋଷି ହେବ ବୋଲି ପୁଣି ଆଶା ବାନ୍ଧିଛନ୍ତି ସମ୍ବଲପୁର କୁଚିଣ୍ଡାର ଚାଷୀ । ମରିଯାଉଥିବା ତଳି ଏବଂ ବୁଣା ଯାଇଥିବା ଧାନକୁ ନେଇ ଆଶା ସଂଚାର ହୋଇଛି । ଲାଲ ପଡିଯାଇଥିବା ବୁଣାଧାନ, ଝାଉଣୀ ଯାଇଥିବା ତଳି ଓ ଫାଟି ଆଁ କରିଥିବା ରୁଆ ବିଲରେ ଏହି ବର୍ଷା ସଂଜୀବନି ଭଳି କାମ ଦେବ ବୋଲି ଚାଷୀ କହିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ବର୍ଷା ହୋଇଛି । ହେଲେ ଜଳାଭାବରୁ ଶୁଖିଲା ପଡିଥିବା ଚାଷ ଜମି ପାଇଁ ଏ ବର୍ଷା କିଛି ନୁହେଁ । କାରଣ ପାଣି ଅଭାବରୁ ଜିଲ୍ଲାର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡାରେ ଜମି ସବୁ ଶୁଖି ଆଁ କରିଛି । ତେଣୁ ଏଯାଏଁ ଚାଷ କାମ ବିଲକୁଲ୍ ଆରମ୍ଭ ହୋଇନାହିଁ । ଯଦି ଏହି ବିର୍ଷା କିଛି ଦିନ ଲାଗିରୁହେ ତେବେ ଜିଲ୍ଲାରେ ଚାଷ କାମ ଆଗେଇ ପାରନ୍ତା ବୋଲି ଚାଷୀ ମତ ରଖିଛନ୍ତି ।