ଚାଷୀ ମୁଣ୍ଡରେ ଚଡ଼କ : ଜମିରେ କଟା ହୋଇ ପଡ଼ିରହିଛି ପାଚିଲା ଧାନ,ଉପରେ ଢେଉ ଖେଳୁଛି ବର୍ଷା ପାଣି

188

କନକ ବ୍ୟୁରୋ :  ଜମିରେ କଟା ହୋଇ ପଡ଼ିରହିଛି ପାଚିଲା ଧାନ। ଆଉ ତା’ ଉପରେ ଢେଉ ଖେଳୁଛି ବର୍ଷା ପାଣି । କେଉଁ ଜମିରେ ପାଦେ ପାଣିରେ ଧାନ ବୁଢ଼ିଛି ତ ଆଉ କେଉଁଠି ଜମି‌ରେ ହୋଇଥିବା ଧାନ ଗଦା ଭିତରେ ପାଣି ପଶିଯାଇଛି। ଉପକୂଳ ଓଡ଼ିଶା ସମେତ ସୋନପୁର, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ଦେବଗଡ଼ ପ୍ରଭୃତି ଜିଲ୍ଲାରେ ଏଭଳି ଚିତ୍ର ‌ଦେଖିବାକୁ ମିଳୁଛି। ୨୪ ଘଣ୍ଟା ଧରି ଲାଗିରହିଥିବା ଝିପିଝିପି ବର୍ଷାରେ ସାରା ଓଡ଼ିଶାର ଚାଷୀଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି ।

ବର୍ଷା ହେବା ନେଇ ଆଗୁଆ ସୂଚନା ପାଇଥିଲେ ମଧ୍ୟ ସବୁ ଜମିରୁ ଧାନ ଅମଳ କରିବାକୁ ଚାଷୀଙ୍କ ପାଖରେ ବେଳ ନ ଥିଲା। ଆଉ ଯାହା କଟାଯାଇଛି ତା‌ହା ଖଳାକୁ ଆସିପାରି ନାହିଁ। ସେମିତି ଜମିରେ ପଡ଼ିରହିଛି। ଅଦିନିଆ ବର୍ଷାରେ ଭାଙ୍ଗିଯାଇଛି ଚାଷୀର ମେରୁଦଣ୍ଡ। କିଛି ଚାଷୀଙ୍କର ବର୍ଷକର ଦାନା ବି ଛଡ଼ାଇ ନେଇଛି ଏହ‌ି ଅଦିନିଆ ବର୍ଷା। ଆଉ ଯାହା କିଛି ରହିଯାଇଛି ତାହା ଅମଳ ହୋଇପାରିବ କି ନାହିଁ ତାହାକୁ ନେଇ ଚାଷୀଙ୍କୁ ଚିନ୍ତାରେ ଘାରିଲାଣି। କେବଳ ଯେ ଜମିରେ ଧାନ ନଷ୍ଟ ହୋଇଛି ତାହା ନୁହେଁ। ମଣ୍ଡିରେ ବି ବର୍ଷାରେ ଭିଜୁଛି ଶହ ଶହ ବସ୍ତାର ଧାନ। ଅମଳ କରିବା ପରେ ଧାନ ବିକିବା ଲାଗି ଚାଷୀମାନେ ମଣ୍ଡିରେ ଧାନ ବସ୍ତା ପକାଇ ଅପେକ୍ଷାରେ ରହିଥିଲେ। ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିଥିବାରୁ ତାହା ଏବେ ପାଣିରେ ବୁଡ଼ିରହିଛି। ‌

ତେଣୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହେଲାଣି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପୁଣିଥରେ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ଚିଠି ଲେଖାଯାଇଛି । ଏଥିରେ କୁହାଯାଇଛି ଯେ ୫ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଲାଗିରହିବ । ତେଣୁ ଚାଷୀମାନେ ସେମାନଙ୍କ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯେପରି ନଷ୍ଟ ନ ହୁଏ ସେଥିପ୍ରତି ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି । ମଣ୍ଡିରେ ପଡ଼ିରହିଥିବା ଧାନର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ପ୍ରଶାସନ କେବଳ ଚିଠି ଲେଖି ଚ‌ୁପ୍‌ ବସିପଡ଼ିଥିବା ବେଳେ ଚାଷୀଙ୍କର ହଜାର ହଜାର କୁଇଣ୍ଟାଲ ଧାନ ଏବେ ନଷ୍ଟ ହେବାରେ ଲାଗିଛି । ବର୍ଷା ପରେ ଥଣ୍ଡା ଲେଉଟିବାକୁ ଥିବାରୁ ରାତିରେ ଲୋକଙ୍କ ରହିବା ପାଇଁ ଆଶ୍ରୟ ସ୍ଥଳ ଓ ସ୍କୁଲ ବିଲଡିଂ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି ।

ଗତ ୩୬ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ଲାଗିରହିଛି। ସୋନପୁର ସହରରେ ସର୍ବାଧିକ ୩୫.୨ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୨୦.୬, ଝାରସୁଗୁଡ଼ାରେ ୧୯.୫, ବାଲେଶ୍ବରରେ ୧୮, ବାରିପଦାରେ ୧୩.୬, ତାଳଚେରରେ ୧୫, ଅନୁଗୁଳରେ ୧୧ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସହରରେ ୧୦ ମିମିରୁ କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି। ‌ସୋନପୁର ଜିଲ୍ଲାର ସୋନପୁର, ବିରମହାରାଜପୁର, ବଲାଙ୍ଗୀର ଜିଲ୍ଲାର ଖପରାଖୋଲ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ସମ୍ବଲପୁର ଜିଲ୍ଲାର ବାମରା, ଅନୁଗୁଳ ଜିଲ୍ଲାର ରାଜକିଶୋରନଗରରେ ୩୦ ମିମିରୁ ଅଧିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।