ଭଦ୍ରକ ବାସୁଦେବପୁରରେ ଓମଫେଡ କ୍ଷୀର ନନେବାରୁ ରାସ୍ତାରେ ଢ଼ାଳିଲେ ଚାଷୀ : ସଂଗ୍ରହ କେନ୍ଦ୍ରରେ ପକାଇଲେ ତାଲା

169

କନକ ବ୍ୟୁରୋ : ରାସ୍ତାରେ କ୍ଷୀର ଢ଼ାଳିଲେ ଚାଷୀ । ବିକ୍ରି ପାଇଁ ଚାଷୀ ଆଣିଥିବା କ୍ଷୀରକୁ ନିମ୍ନମାନର କହି ଫେରାଇ ଦେବାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାମୁଲ ଓମଫେଡ୍ କେନ୍ଦ୍ର ଆଗରେ ଢ଼ାଳିଛନ୍ତି । ଓମଫେଡ୍ କ୍ଷୀର ନନେବାରୁ ଏଭଳି ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଶତାଧିକ ଚାଷୀ । ଚାଷୀମାନେ ପ୍ରାୟ ୧୨ଶହ ଲିଟର କ୍ଷୀର ଢ଼ାଳି ଦେଇଥିବା ଜଣାପଡିଛି । କ୍ଷୀର ନନେବା ପୂର୍ବରୁ ଓମଫେଡ୍ ପକ୍ଷରୁ କୌଣସି ସୂଚନା ଦିଆନଯାଇ ହଠାତ୍ କ୍ଷୀର ନେବା ବନ୍ଦ୍ କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଏହାକୁ ନେଇ ଚାଷୀ ଉତ୍ୟକ୍ତ ହୋଇଥିଲେ । ଚାଷୀମାନେ କ୍ଷୀର ଢ଼ାଳିବା ସହ ସଂଗ୍ରହ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଇଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସରକାର କିମ୍ୱା ଓମଫେଡ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛି । ଆଜି ଦ୍ୱିତୀୟ ଶନିବାର ଛୁଟି ଦିବସ ହୋଇଥିବାରୁ କୌଣସି ସରକାରୀ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ପାରି ନାହାନ୍ତି ।