ଫୋନିରେ ଭାଙ୍ଗିିଯାଇଥିବା ଘରର ସର୍ଭେ ଆରମ୍ଭ, ଜୁନ୍ ପହିଲାରୁ ହିତାଧୀକାରୀଙ୍କୁ ମିଳିବ କାର୍ଯ୍ୟାଦେଶ : ଜାଲିଆତି ରୋକିବାକୁ ସର୍ଭେ ବେଳେ ନଷ୍ଟ ହୋଇଥିବା ଘରର କରାଯିବ ଜିଓ ଟାଗିଂ

174

କନକ ବ୍ୟୁରୋ : ଫାନି ବାତ୍ୟାରେ କ୍ଷତି ହୋଇଥିବା ଘର ବଦଳରେ ପକ୍କାଘର ଯୋଗାଇ ଦିଆଯିବ । ଏନେଇ ଜୁନ୍ ମାସ ପହିଲାରୁ ହିତାଧୀକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ତେବେ ଏଥର ଏଥିପାଇଁ ସର୍ଭେ ବେଳେ ଏକ ନୂଆ ଉପାୟ ଆପଣେଇବ ପଂଚାୟତିରାଜ ବିଭାଗ । ଏନେଇ ପଂଚାୟତିରାଜ ବିଭାଗର ସଚିବ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ୧୫ ତାରିଖରୁ ରାଜସ୍ୱ ନିରୀକ୍ଷକମାନେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି ।

ସର୍ଭେ ବେଳେ ନଷ୍ଟ ହୋଇଥିବା ଘରର ଜିଓ ଟାଗିଂ କରାଯିବ । ନୂଆକରି ବିକଶିତ ହୋଇଥିବା ମୋବାଇଲ ଆପ୍ ଆମ ଘର ଆପେରେ ଏହି ଟାଗିଂର ଫଟୋକୁ ଅପଲୋଡ୍ କରାଯିବ । ଏହାସହ ଏହି ଫଟୋକୁ ଗ୍ରାମୀଣ ବାସଗୃହ ଯୋଜନା ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ଆର ଡଟ୍ ଏଚ ଡଟ୍ ଓଡ଼ିଶା ପୋର୍ଟାଲ ସହ ମେଳ କରାଯିବ । ଫଳରେ ଆଉ କୌଣସି ପ୍ରକାର ଜାଲିଆତି ହୋଇପାରିବ ନାହିଁ । ଜିଓ ଟାଗିଂ କରିବାକୁ ସ୍ଥାନୀୟ ଯୁବକ ଯୁବତୀ, ଯୋଗାଣ ସହାୟକ, ବିଜୁ ଯୁବବାହିନୀ, ସିଆରପି ଏବଂ ସିପିମାନଙ୍କୁ ଚିହ୍ନଟ କରାଯାଇଛି ।