ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି : ତୁରନ୍ତ ପଦକ୍ଷେପ ନନେଲେ ମହାମାରୀର ରୂପ ନେବା ଆଶଙ୍କା

62

କନକ ବ୍ୟୁରୋ : ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି । ଏହା ମଧ୍ୟରେ ୫୦ରୁ ଅଧିକ ଚିକିତ୍ସିତ ହୋଇ ଫେରିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ବ୍ରହ୍ମଗିରି ଅଞ୍ଚଳର ୨୧ ଜଣ, ପୁରୀ ସଦର ବ୍ଳକ ଅଞ୍ଚଳରେ ୫ ଜଣ ଓ ଜିଲ୍ଲା ସଂକ୍ରାମକ ହସ୍ପିଟାଲ୍‌ରେ ୯ ଜଣ ଥିବା ଜଣାପଡ଼ିଛି । ତେବେ ଗତକାଲି ୨ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀ ସିଡିଏମ୍‌ଓ କହିଛନ୍ତି ।

ବାତ୍ୟା ପରେ ପାଣି ସମସ୍ୟା ଚାରିଆଡ଼େ ଲାଗି ରହିଛି । ଅନେକ ସ୍ଥାନରେ ଲୋକମାନେ ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ୨ ଦିନ ମଧ୍ୟରେ ବ୍ରହ୍ମଗିରିର ଆଳିଆପୁଟ, ଜଗନ୍ନାଥପାଟଣା, ବ୍ରହ୍ମଗିରି ଭଳି ଅଞ୍ଚଳରୁ ୨୧ ଜଣ ରୋଗୀ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ କେରାଣ୍ଡିଆ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ସେହିପରି ପୁରୀ ସଦର ବ୍ଲକର ରେଣ୍ଡୁଅ ଚମାର ସାହି ଅଞ୍ଚଳରେ ୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

୨ ଦିନ ମଧ୍ୟରେ ଜିଲ୍ଲା ସଂକ୍ରାମକ ଡାକ୍ତରଖାନାରେ ୯ ଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନିଆନଗଲେ ଏହା ମହାମାରୀ ରୂପ ନେଇପାରେ ବୋଲି ଆଶଙ୍କା ଦେଖାଦେଇଛି ।