ଫୋନିର ପ୍ରଳୟଙ୍କାରୀ ରୂପ ଭାଙ୍ଗିପାରିନି ଆତ୍ମବିଶ୍ୱାସ : ବାତ୍ୟାରେ ଓଦା ହୋଇଯାଇଥିବା ବହିକୁ ସାଉଁଟି ଖଟିଆ ଉପରେ ସୁଖାଉଛି କୁନି ଝିଅ

71

କନକ ବ୍ୟୁରୋ : ବାତ୍ୟା ଚାଲିଯିବା ପରେ ଉଜୁଡା ଘରକୁ ସଜାଡିବାରେ ବ୍ୟସ୍ତ ବାତ୍ୟା ବିପନ୍ନ । ପ୍ରଳୟଙ୍କାରୀ ଫୋନି ଚାଲିଯିବା ପରେ ଭଙ୍ଗା ଘରେ ସ୍ମୃତି ଖୋଜୁଛନ୍ତି ପ୍ରଭାବିତ । କିଏ ମାଟି ତଳୁ ଖାଦ୍ୟ ପ୍ରଦାର୍ଥ ଖୋଜୁଛି ତ ଆଉ କିଏ ଭଙ୍ଗା ଆସବାବପତ୍ର । କେହି କେହି ନିଜର ବହିବସ୍ତାନିକୁ ସୁଖାଇବାରେ ବ୍ୟସ୍ତ ।

କୁନି ବୟସ, କଅଁଳ ହାତ । ତଥାପି ବାତ୍ୟା ଫୋନିର ପ୍ରଳୟଙ୍କାରୀ ରୂପ ଭାଙ୍ଗି ପାରିନି ତା’ର ଆତ୍ମବିଶ୍ୱାସ । ଝଡ ଚାଲି ଯିବା ପରେ ସେ ନିଷ୍ପତି ନେଇଛି, ପୁଣି ଥରେ ନିଜର ବହିବସ୍ତାନି ଠିକ୍ କରିବ ଆଉ ପାଠପଢି ଆଗକୁ ବଢିବ । ଏହି ଆଶାରେ ଭଙ୍ଗା ଘରୁ ଓଦା ବହିକୁ ସାଉଁଟି ଖଟିଆ ଉପରେ ସୁଖାଉଛି । ଏମତି ଆଶା ଜଣେ କୁନି ଛାତ୍ରୀର । ହେଲେ ଖାତା ଓ ବହିର ଅବସ୍ଥା ଏଭଳି ହୋଇଛି ତାକୁ କେମିତି ସଜାଡିବ ତାହା ବୁଝିପାରୁନି ।

ଫର୍ଦ୍ଦ ଫର୍ଦ୍ଦ ହୋଇଯାଇଛି ଖାତା-ବହି । ବର୍ଷ ଆରମ୍ଭରୁ ବହି ନଷ୍ଟ ହୋଇଯାଇଥିବାରୁ କେମିତି ପାଠ ପଢ଼ିବ ସେକଥା ବୁଝିପାରୁନି କୁନି ଛାତ୍ରୀ । ଜଣେ ନୁହେଁ  ଅନେକ ଛାତ୍ରଛାତ୍ରୀ ପ୍ରକୃତିର କୋପର ଶିକାର ହୋଇଛନ୍ତି । ଗୋଟିଏ ବସ୍ତି ନୁହେଁ ପୁରୀର ବିଭିନ୍ନ ସ୍ଥାନରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ବହି ଖାତା ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି ।