ଫୋନିର ବାତ୍ୟାକୁ ବାରି ପାରିଥିଲେ କି ନନ୍ଦନକାନନର ବାଘ ବଂଶ ? କେମିତି ଥିଲା ଜଙ୍ଗଲୀ ଜନ୍ତୁଙ୍କ ଆଚରଣ ?

354

କନକ ବ୍ୟୁରୋ : ବାତ୍ୟାକୁ ବାରି ପାରିଥିଲା ବାଘ । ଏଥିପାଇଁ ତ ଫୋନି ସ୍ଥଳଭାଗ ଛୁଇଁବା ଆଗରୁ ଇତସ୍ତତ ହୋଇ ଖୁଆଡି ଭିତରେ ଏଣେ ତେଣେ ଘୁରି ବୁଲୁଥିଲେ ନନ୍ଦନକାନନ ବାଘ । ଫୋନିକୁ ନେଇ ଭାରତୀୟ ପାଣି ବିଭାଗର ସୂଚନା ଅନୁସାରେ ପଦକ୍ଷେପ ନେଇଥିଲେ ନନ୍ଦନକାନ କର୍ତୃପକ୍ଷ । ଝଡର ୪୮ ଘଂଟା ଆଗରୁ ମୁଖ୍ୟ ଖୁଆଡରୁ ବାଘ, ସିଂହ ଭଳି ହିଂସ୍ର ଜନ୍ତୁକୁ ସ୍ୱତନ୍ତ୍ର ଖୁଆଡିକୁ ସ୍ଥାନାନ୍ତର କରାଯାଇଥିଲା । ଫଳରେ ବାତ୍ୟା ଯୋଗୁଁ ନନ୍ଦନକାନନର ସୌନ୍ଦର୍ଯୟମୟ ପରିବେଶନ ନଷ୍ଟ ହୋଇଛି ସିନା ସେଠାରେ ଥିବା ଜୀବଜନ୍ତୁଙ୍କର କୌଣସି କ୍ଷୟ କ୍ଷତି ହୋଇନାହିଁ ।

ପ୍ରକୃତିର ନିୟମ ବଦଳିଲେ ପୂର୍ବାନୁମାନ କରିପାରନ୍ତି ଜୀବଜନ୍ତୁ । ପକ୍ଷୀ ହୁଅନ୍ତୁ ଅବା ହିଂସ୍ର ଜନ୍ତୁ, ପ୍ରକୃତି ଯେବେ ଯେବେ କଳାର ରୁପ ଧାରଣ କରେ, ଏହାର ପୂର୍ବାଭାଷ ଅନୁମାନ କରିପାରନ୍ତି ସେମାନେ । ଏଇ ଯେମିତି ବାତ୍ୟା ଫୋନି ସମୟରେ ବିଚଳିତ ହୋଇ ଏଣେତେଣ ଘୁରିବୁଲୁଥିଲେ ନନ୍ଦନକାନନର ବାଘମାନେ । ସ୍ୱତନ୍ତ୍ର ଖୁଆଡରେ ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ବାଘଗୁଡିକ ବିଚଳିତ ହେବାର କାରଣ ଜାଣିପାରିନଥିଲେ ବାଘ ଖୁଆଡର କେୟାର ଟେକର ଭାଷ୍କର ସାମଲ ।

ବାତ୍ୟା ଫୋନି ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ବୋଲି ଯଥେଷ୍ଟ ପୂର୍ବରୁ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ସୂଚନା ପାଇବା ମାତ୍ରେ ସଜାଗ ହୋଇଯାଇଥିଲେ ନନ୍ଦନକାନନ କର୍ତୁପକ୍ଷ । ପ୍ରାଣୀ ଉଦ୍ୟାନରେ ବାଘ, ସିଂହ, ଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ଖୁଆଡର ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ନନ୍ଦନକାନନରେ ଥିବା ବାଘଙ୍କୁ ସ୍ୱତନ୍ତ୍ର ଖୁଆଡରେ ରଖିବା ସହ ସେଠାରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି କର୍ତୃପକ୍ଷ । ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ବାଘଙ୍କୁ ମୁଖ୍ୟ ଖୁଆଡରେ ଛଡାଯିବ ବୋଲି କହିଛନ୍ତି ନନ୍ଦନକାନ ଉପନିର୍ଦେଶକ ।

ଆସନ୍ତା ୨୧ ତାରିଖରେ ନନ୍ଦନକାନନକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ ବୋଲି ରାଜ୍ୟ ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଏହାର ଦିନକ ପୂର୍ବରୁ ବାଘମାନଙ୍କୁ ସ୍ୱତନ୍ତ୍ର ଖୁଆଡରୁ ମୁଖ୍ୟ ଖୁଆଡରେ ଛାଡିବା ନେଇ ନିଷ୍ପତି ହୋଇଛି ।