ସଜଡ଼ା ଚାଲିଛି ନନ୍ଦନକାନନ : ସ୍ଥିତି ସ୍ୱାଭାବିକ କରିବା ପାଇଁ ଜୋରସୋରରେ ଚାଲିଛି କାମ, ପୁଣି ହେବ ଗ୍ରୀଷ୍ମ ସୁରକ୍ଷା ବ୍ୟବସ୍ଥା

185

କନକ ବ୍ୟୁରୋ : ସଜାଡ଼ି ହେଉଛି ନନ୍ଦନକାନନ । ବାତ୍ୟା ‘ଫନି’ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଏହି ପ୍ରାଣୀ ଉଦ୍ୟାନକୁ ସ୍ୱାଭାବିକ କରିବା ପାଇଁ ସମସ୍ତ କର୍ମଚାରୀ ପୂରା ଜୋରସୋର୍‌‌‌‌ରେ ଲାଗି ପଡ଼ିଛନ୍ତି । କର୍ମଚାରୀମାନେ ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଲଗାତାର ଭାବେ ଗଛ କାଟି ସଫା କରୁଛନ୍ତି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗଛ କଟା ଓ ସଫା କରିବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ନନ୍ଦନକାନନର ଆଗ ପାଖ ପ୍ରବେଶ ଫାଟକରୁ ପଛ ପାଖ ଫାଟକ ପର୍ଯ୍ୟନ୍ତ, ଶିଶୁ ଉଦ୍ୟାନଠାରୁ ଜିରାଫ ଘର ପର୍ଯ୍ୟନ୍ତ ଓ ସରୀସୃପ ଉଦ୍ୟାନ ଭାୟା କାଞ୍ଜିଆହ୍ରଦ କୂଳ ବିହଙ୍ଗ ବିହାର ରାସ୍ତା ସଫା ସରିଛି ।

ଅଧିକାଂଶ ଜୀବଜନ୍ତୁଙ୍କ ଘର ଉପରେ ପଡ଼ିଥିବା ଗଛ ମଧ୍ୟ ହଟି ସାରିଛି। ବାକି ଅଛି, ମଣିପୁରି ହରିଣ, ବାରାଶିଙ୍ଗା ସମେତ କିଛି ଛୋଟ ଜୀବଙ୍କ ଘର । ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରିରେ ପଡ଼ିଥିବା ଗଛ ହଟା ଅଭିଯାନ ଚାଲିଛି । ସଫାରିର ରାସ୍ତା ସବୁ ଠିକ୍ ଅଛି।  ସଫାରିର ସବୁଜିମା ପରିବେଶ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ନଜର ରଖି ସଫେଇ କାର୍ଯ୍ୟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସଫାରିରେ ପର୍ଯ୍ୟଯକଙ୍କ ବସ୍‌ ପରିଭ୍ରମଣ ଉପଯୋଗୀ ହୋଇସାରିଛି । ତେବେ ସଫାରିକୁ ଭଲ ଭାବେ ଯାଞ୍ଚ କରିବା ଓ ବେଷ୍ଟିତ କରିଥିବା ତାରଜାଲି ପାଚେରିକୁ ଯାଞ୍ଚ କରାଯିବା ପରେ ଖୋଲିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି ।

ସିମ୍ପାଞ୍ଜି ଓ ଭାଲୁ ଘରକୁ ପାନୀୟ ଜଳଯୋଗାଣ ହୋଇଛି । ମୋଟାମୋଟି ଭାବେ ସମସ୍ତ ଜୀବଜନ୍ତୁଙ୍କ ଘରକୁ ପାନୀୟ ଜଳଯୋଗାଣ କରାଯାଇପାରିଛି । ସେହିଭଳି ଗୋଟି ଗୋଟି କରି ଜୀବଜନ୍ତୁଙ୍କ ଘରକୁ ଅନୁଧ୍ୟାନ କରି ବିଦ୍ୟୁତ୍‌ ସଂଯୋଗ କରାଯାଉଛି । ବାକି ଥିବା କିଛି ଘରକୁ ବିଦ୍ୟୁତ୍ ସଂଯୋଗ କରିବାକୁ କାର୍ଯ୍ୟ ଚାଲୁ ରହିଛି । ସରକାରୀ ଘୋଷଣା ମୁତାବକ, ଆସନ୍ତା ୨୧ ତାରିଖ ସୁଦ୍ଧା ସମସ୍ତ ସମସ୍ୟା ଦୂର କରି ୨୨ରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ଲାଗି ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ ।

ଗ୍ରୀଷ୍ମ ପ୍ରକୋପରୁ ଜୀବଜନ୍ତୁଙ୍କ ରକ୍ଷା ଲାଗି ନିକଟରେ କର୍ତ୍ତୃପକ୍ଷ ନଡ଼ା, ବାଉଁଶ ତାଟ ପକାଇ କରିଥିବା ଛପର ସବୁ ବାତ୍ୟାରେ ଉଡ଼ି ଯାଇଛି । ପକ୍ଷୀ ଓ ଜୀବମାନେ ଏବେ ଖରାରେ ବସି ରହୁଛନ୍ତି । ଆଗକୁ ଆହୁରି ମାସେ ପ୍ରବଳ ଖରା ହେବାକୁ ଥିବାରୁ ପୁନର୍ବାର ଛପର କରିବା ସହ ସାନି ଗ୍ରୀଷ୍ମ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି । ସ୍ଥିତି ସଂପୂର୍ଣ୍ଣ ସୁଧୁରିବା ପରେ କରାଯିବ । ଆସନ୍ତା ୨୨ ତାରିଖରେ ନନ୍ଦନକାନନ ଖୋଲିବା ଲାଗି ଦୈନନ୍ଦିନ ଘନଘନ କାର୍ଯ୍ୟର ସମୀକ୍ଷା, ତଦାରଖ କରୁଛନ୍ତି ନିର୍ଦ୍ଦେଶକ, ଉପନି‌ର୍ଦ୍ଦେଶକ ଓ ସଚିବ ।