ଫୋନି ଉଜାଡିଦେଲା ବାଲୁଖଣ୍ଡ ଅଭୟାରଣ୍ୟ : ୪ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ନାହିଁ, କୁଆଡେ ଗଲେ ହରିଣ ?

249

କନକ ବ୍ୟୁରୋ : ବାତ୍ୟା ଫୋନି ଉଜାଡି ଦେଇଛି ବାଲୁଖଣ୍ଡ ଅଭୟାରଣ୍ୟ । ପୁରା ଖିନବିନ ହୋଇଯାଇଛି ଏହି ବନାଂଚଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭୟାରଣ୍ୟରେ ଥିବା ୪ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ନାହିଁ । କୁଆଡେ ଗଲେ ଏହି ହରିଣ । ପବନ ଉଡେଇନେଲା ନା ମାଟିରେ ମିଶିଗଲେ । ଏହି ପ୍ରଶ୍ନର କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରୁନାହାନ୍ତି ଫରେଷ୍ଟର ।

ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ । ଗୋଟିଏ କି ଦୁଇଟି ନୁହେଁ । ୪ହଜାର ଚିତ୍ରା ହରିଣଙ୍କୁ ଖୋଜୁଛି ବନବିଭାଗ । ବାତ୍ୟା ଫୋନି ମାଡ ହେବାର ୮ଦିନ ବିତିଯାଇଥିଲେ ମଧ୍ୟ ହରିଣଙ୍କ ଦେଖାମିଳୁନି । ଯୁଆଡେ ଦେଖିଲେ ଖାଲି ଉଜୁଡା ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ୩ତାରିଖ ପୂର୍ବରୁ ଏହି ବନାଂଚଳରେ ଥିବା ୪ହଜାର ହରିଣ ଫୋନି ମାଡରେ ମୃତ୍ୟୁବରଣ କରିନାହାନ୍ତି ତ । ଗଛ ତଳେ ଚାପି ହୋଇଜୀବନ ଯାଇନି ତ । କିଛି ଏମିତି ପ୍ରଶ୍ନ ଜଙ୍ଗଲ ବିଭାଗ ଆଗରେ ଠିଆ ହୋଇଛି ।

ବାଲୁଖଣ୍ଡ ଅଭୟାରଣ୍ୟରେ ନିଜେ ଫରେଷ୍ଟର ମଧ୍ୟ ହରିଣମାନଙ୍କୁ ଖୋଜିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବନବିଭାଗ ଅଧିକାରୀ ଦାବି କରୁଛନ୍ତି , ବାଲୁଖଣ୍ଡ ଅଭୟାରଣ୍ୟରେ ରହୁଥିବା ୪ହଜାର ଚିତ୍ର ହରିଣ ଏବେ ବି ଅଛନ୍ତି । ସେମାନଙ୍କ ପାଦ ଚିହ୍ନ ଦେଖିବାକୁ ମିଳୁଛି । ହୁଏତ ପବନମାଡ ପରେ ସେମାନେ ଦୂରଦୁରାନ୍ତରେ ରହିଥାଇପାରନ୍ତି । କିନ୍ତୁ ସେମାନେ ଖାଇବା ପାଇଁ ଆସୁଛନ୍ତି ଏବଂ ସେମାନଙ୍କ ଉପସ୍ଥିତି ଥିବା ନେଇ ଢେର ପ୍ରମାଣ ମିଳୁଛି । ଅନ୍ୟପକ୍ଷରେ କ୍ୟାମ୍ପରେ ରହିଥିବା ୪ଟି ହରିଣ ଫୋନି ମାଡ ହେବା ପରେ ମଧ୍ୟ ଠିକଠାକ ଅଛନ୍ତି । ସେମାନେ ସାଧାରଣଭାବେ ଜୀବନ ଯାପନ କରୁଛନ୍ତି । ଏବଂ ବନାଂଚଳରେ ଗୋଟିଏ ହରିଣ ରହିଛି । ଆଉ ଗୋଟିଏ ହରିଣ ପ୍ରାଣ ହରାଇଛି । ତାକୁ ପୋତି ଦିଆଯାଇଛି ।

ଗତ ୩ ତାରିଖରେ ମାଡ ହୋଇଥିଲା ଫୋନି । ଆଉ ୪ତାରିଖ ଦିନ ପିସିସିଏଫ ଏହି ଚିତ୍ରା ହରିଣମାନଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଠନ ହୋଇଥିଲା ୧୦ଟି ଟିମ । ଏହି ୧୦ଟି ଟିମ ଏବେ ବି ଖୋଜୁଛି ଚିତ୍ରହରିଣମାନଙ୍କୁ । ହେଲେ ଏତେ ସଂଖ୍ୟାରେ ହରିଣ ଗଲେ କୁଆଡେ ସେନେଇ କୌଣସି ଖୋଜ ଖବର ମିଳୁନି । ଯାହା କି ବନବିଭାଗକୁ ମଧ୍ୟ ଅଡୁଆରେ ପକାଇଛି । ଗତ ୮ ଦିନ ଧରି ଚିତ୍ରହରିଣମାନଙ୍କୁ ଖୋଜୁଛି ବନବିଭାଗ । ହେଲେ ହରିଣଙ୍କ ଦେଖାମିଳୁନି । ଏବେ ବି ବନବିଭାଗର ଜାରି ରହିଛି ସର୍ଚ୍ଚ ଅପରେସନ ।