ପକ୍କା ଘର ପାଲଟିଛି ସାତ ସପନ ! ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେବ ପାଇଖାନା ପାଲଟିଛି ସ୍ଥାୟୀ ଠିକଣା

150

କନକ ବ୍ୟୁରୋ : ପାଇଖାନାରେ ରହୁଛନ୍ତି ଯୋଗେନ୍ଦ୍ର । ପୁଣି ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ହେଲା ଏହା ତାଙ୍କ ସ୍ଥାୟୀ ଠିକଣା ପାଲଟିଛି । ଏହି ପାଇଖାନା ଭିତରେ ତାଙ୍କ ତିନି ପ୍ରାଣୀର କୁଟୁମ୍ବ ଖାଉଛନ୍ତି, ରହୁଛନ୍ତି, ଶୋଉଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଟକି ରହିଥିବା ତାଙ୍କର ହଜାରେ ହାରି ଗୁହାରି ଏହି ପାଇଖାନା ଭିତରେ ଚାପି ହୋଇ ରହିଯାଇଛି । ଅପରପକ୍ଷରେ ଯୋଗେନ୍ଦ୍ରଙ୍କୁ କେବେ ପକ୍କା ଘର ଖଣ୍ଡେ ମିଳିବ ତାହାର କିଛି ସମ୍ଭାବନା ଦିଶୁ ନ ଥିଲାବେଳେ ତାଙ୍କ ପାଠ ପଢ଼ୁୁଆ ଝିଅର ସ୍ବପ୍ନ ବି ମଉଳିବାକୁ ଆରମ୍ଭ କଲାଣି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଚାଷୀ ମୂଲିଆ ଆଦିବାସୀ ସଂଘର ଉପଦ୍ରବ କାଗରଣରୁ ଏହି ବ୍ଲକର ବିଭିନ୍ନ ଗ୍ରାମରୁ ଲୋକମାନେ ଗାଁ ଛାଡ଼ି ବାହାରକୁ ଚାଲି ଆସିଥିଲେ । ଏହି ଲୋକମାନଙ୍କ ମଧ୍ୟରେ ଥିଲେ ନାରାୟଣପାଟଣା ବ୍ଲକ୍ ପୋଡାପଦର ଗ୍ରାମର ଯୋଗେନ୍ଦ୍ର ଭତ୍ରା (୪୦ବର୍ଷ) । ପାଖାପାଖି ଦଶ ବର୍ଷ ତଳେ ସେ ଛାଟିମାଟିର ଘର ଛାଡ଼ି କୋରାପୁଟ ସହରକୁ ଆସିଥିଲେ । ପ୍ରଶାସନ ପକ୍ଷରୁ ତାଙ୍କ ଗ୍ରାମର କିଛି ଲୋକଙ୍କୁ ମୃତ୍ତିକା ସଂରକ୍ଷଣ ବିଭାଗର ଏକ ପରିତ୍ୟକ୍ତ କୋଠାରେ ରହିବାକୁ ଦିଆଯାଇଥିଲା । ତେବେ ଯୋଗେନ୍ଦ୍ରଙ୍କୁ ଏହି ଦଦରା ଘରେ ଜାଗା ଟିକିଏ ନ ମିଳିବାରୁ ସେ ମୁଣ୍ଡ ଗୁଞ୍ଜିବାକୁ ପାଇଖାନାରେ ରହି ଯାଇଥିଲେ । ଆଉ ସେହି ଦିନରୁ ତାଙ୍କ ଠିକଣା ବଦଳିଗଲା । ତାଙ୍କ ପାଖରେ ଆଉ କିଛି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏହି ପାଇଖାନା ହିଁ ତାଙ୍କ ସଂସାରର ସବୁକିଛି ପାଲଟି ଯାଇଛି ।

ଯୋଗେନ୍ଦ୍ରଙ୍କ ପରିବାର କହିଲେ ପତ୍ନୀ ଓ ଗୋଟିଏ ଝିଅ । ଯୋଗେନ୍ଦ୍ର ନିଜେ କୁଲି କରି ପରିବାର ଚଳାଉଛନ୍ତି । ପତ୍ନୀ ଘର କାମ କରୁଥିଲା ବେଳେ ଝିଅ ନାଜରିତା କଲେଜରେ ପଢ଼ୁଛି । ସେ ଏବେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ । ପାଠ ପଢ଼ି ବଡ଼ ହେଲେ ଚାକିରୀ କରିବ ବୋଲି ପିଲାବେଳୁ ସ୍ବପ୍ନ ଦେଖି ଆସୁଥିବା ଏହି ଝିଅ ପ୍ରତିକୂଳ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ସାରିଲାଣି । ଅପରପକ୍ଷେ, ପାଇଖାନାରେ ରହୁଥିବା ଯୋଗେନ୍ଦ୍ର ଘର ଖଣ୍ଡିକ ପାଇଁ ବାରମ୍ବାର ଗୁହାରି କରିଛନ୍ତି । ପ୍ରଶାସନ ଆଗରେ ବହୁବାର ଗୋଡ ଭାଙ୍ଗି ଠିଆ ହୋଇଛନ୍ତି । କିନ୍ତୁ କେବଳ ପ୍ରତିଶ୍ରୁତି ମିଳିଛି । ସହାନୁଭୂତି ଟିକିଏ ବି ମିଳିନି । ତାଙ୍କ ସ୍ବର ସେଇ ପାଇଖାନା ଭିତରେ ବନ୍ଧା ପଡିଛି ବୋଲି କୁହନ୍ତି ଯୋଗେନ୍ଦ୍ର ।