ନିର୍ବାଚନୀ ସତ୍ୟପାଠ ନେଇ ଅଡୁଆରେ ସାଂସଦ ବୈଜୟନ୍ତ ପଣ୍ଡା ! ଥାନାରେ ମାମଲା ରୁଜୁ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

34

କନକ ବ୍ୟୁରୋ : ଅଡୁଆରେ ପଡିଯାଇଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ସାଂସଦ ପଣ୍ଡାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ହେବା ଦରକାର । ଜୁଲାଇ ୨୫ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବୈଜୟନ୍ତଙ୍କ କାର୍ଯ୍ୟାଳୟ କହିଛି, ଆଇନ୍ ତା ବାଟରେ ଯିବ ଏବଂ ସତ୍ୟର ଜୟ ହେବ ।

ବିଜେଡି ରାଜନୀତିରେ ଚହଳ ସୃଷ୍ଟିକରି ବେଶ ଚର୍ଚ୍ଚାକୁ ଆସିଥିବା ବୈଜୟନ୍ତ ପଣ୍ଡା, ଏବେ ଅଡୁଆ ଜାଲରେ ଛନ୍ଦି ହୋଇଯାଇଛନ୍ତି । ଗତ ସାଧାରଣ ନିର୍ବାଚନରେ ନିର୍ବାଚନ କମିଶନଙ୍କ ନିକଟରେ ମିଛ ତଥ୍ୟ ଦେଇଥିବା ଅଭିଯୋଗରେ ଏବେ କାଠଗଡ଼ାକୁ ଆସିଯାଇଛନ୍ତି ସାଂସଦ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ମାମଲାକୁ ଗ୍ରହଣ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟ । ଏହି ମାମଲାରେ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜନପ୍ରତିନିଧି ଆଇନ୍ ୧୨୫(ଏ) ଧାରାରେ, ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଏହି ମାମଲା ଦାଏର ହୋଇଛି । ଅବେନଦକାରୀଙ୍କ ଅଭିଯୋଗ ଅନୁସାରେ- ବୈଜୟନ୍ତ ପଣ୍ଡା ଇମ୍ଫାର ଉପାଧ୍ୟକ୍ଷ ଥାଇ ଦରମା ଆକାରରେ କୋଟି କୋଟି କଂପାନୀରୁ ଗ୍ରହଣ କରିଛନ୍ତି । ଯାହା ୨୦୧୪ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନଥିଲେ ।

ଏସଡିଜେମ୍ କୋର୍ଟରେ ମାମଲା ନମ୍ବର ୨୬୦/୨୦୧୮ରେ ମାମଲା ଦାଏର ହୋଇଥିବା ବେଳେ ସାଂସଦଙ୍କ ବିରୋଧରେ ଆଇପିସିର ୪୧୫ରୁ ୪୨୦ ଧାରାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି-ଆଇନ ଅନୁଯାଇ ଏହା ଅନୁସନ୍ଧାନ ଯୋଗ୍ୟ ଏବଂ ପୁଲିସ୍ ଏହାର ତଦନ୍ତ କରିବା ଦରକାର । ଆବେଦନକୁ ଟାଉନ୍ ଥାନା ପଠାଇବାକୁ ଆଦେଶ ଦେଇ କୋର୍ଟ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛି । ତାଙ୍କର ରାଜନୈତିକ ସଚିବ କହିଛନ୍ତି-ଏହି ମାମଲାରେ ଆଇନ ତା’ ବାଟରେ ଯିବ ଏବଂ ସତ୍ୟର ଜୟ ହେବ । ତେବେ ଏନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । କୁହାଯାଇଛି-ଏହି ମାମଲାରେ ଆଇନ ତା’ ବାଟରେ ଯିବ ଏବଂ ସତ୍ୟର ଜୟ ହେବ ।

୨୦୧୪ ନିର୍ବାଚନ ସମୟରେ ଦେଇଥିବା ନିର୍ବାଚନୀ ସତ୍ୟପାଠରେ ସାଂସଦ ତଥ୍ୟ ଲୁଚାଇବା ନେଇ ଅଭିଯୋଗ ଆଣି, ମାମଲା ଦାଏର୍ କରିଛନ୍ତି ଉଦିତନଗର ଅଂଚଳର ଦିଲ୍ଲୀପ ନାୟକ । ଯାହା ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏକ ପ୍ରକାର ଅଡୁଆ ସ୍ଥିତିରେ ପକାଇ ଦେଇଛି ।