କଟକ ପରେ ରାଜଧାନୀରେ ନକଲି ତେଲ କାରଖାନା ଠାବ : ଅସଲି ବ୍ରାଣ୍ଡରେ ନାଁରେ ତିଆରି ହେଉଛି ନକଲି ଘିଅ ଓ ଖାଇବା ତେଲ

647

କନକ ବ୍ୟୁରୋ : କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ତେଲ କାରଖାନା ଠାବ । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରୁ ନକଲି ତେଲ କାରଖାନା ଠାବ ହୋଇଛି । ଅସଲି ବ୍ରାଣ୍ଡରେ ନକଲି ତେଲ ତିଆରି କରି ବଜାରକୁ ଛଡାଯାଉଥିଲା । ଘିଅ , ଖାଇବା ତେଲ ଓ ରାଶି ତେଲର ଏଠାରେ ଅପମିଶ୍ରଣ ହେଉଥିଲା ।  ୨ ହଜାର ଲିଟର ନକଲି ତେଲ ଜବତ କରାଯାଇଛି । ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ନକଲି ଓ ବିଷାକ୍ତ ତେଲ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା ।

ଦୀର୍ଘଦିନ ଧରି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରେ  ଚାଲିଥିଲା ବେଆଇନ ନକଲି ଖାଇବା ତେଲ କାରଖାନା । ଗୁପ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଆଜି ଚଢାଉ କରିଥିଲା । ବିଭିନ୍ନ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଖାଇବା ତେଲ ଓ ଘିଅ ଜବତ କରାଯାଇଛି । ତେବେ ଏହି କାରବାର ପଛରେ ଆଉ କାହାର ସବୁ ହାତ ରହିଛି ପୁଲିସ ତାହାର ତଦନ୍ତ କରୁଛି । ସବୁଠାରୁ ବଡ଼ କଥା ହେଲା  ନକଲି ତେଲ କାରଖାନାଟି ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବାବେଳେ କିଭଳି ପୁଲିସ ଏ ପର୍ଯ୍ୟନ୍ତ ଟେର ପାଇନଥିଲା ତାହା ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି ।