ଗୋଟିଏ ବିଷୟରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ମିଳିଛି ଶୂନ : ଚିନ୍ତାରେ କଟକ ଖପୁରିଆ ଆଇଟିଆଇ ଛାତ୍ର

496

କନକ ବ୍ୟୁରୋ : କଟକ ଖପୁରିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀଙ୍କ ନିର୍ଦ୍ଦିଷ୍ଟ ଗୋଟିଏ ବିଷୟରେ ନମ୍ବର ରହିଛି ଶୂନ । ଏହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡିଥିବା ବେଳେ ସମସ୍ୟାର ସମାଧାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଦୃ‌ଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟପଟେ କର୍ତ୍ତୃପକ୍ଷ କହିଛନ୍ତି ଯେ ବୈଷୟିକ ତ୍ରୁଟିରୁ ଏଭଳି ଘଟିଛି, ଏନ୍‌ସିଭିଟିକୁ ଖୁବ୍‌ଶୀଘ୍ର ଠିକ ନମ୍ବର ପ୍ରକାଶ କରିବାକୁ ଚିଠି କରାଯାଇଛି ।

ଖପୁରିଆ ଆଇଟିଆଇର ଫିଟର, ଏମ୍‌ଏମ୍‌ବି, ଆଇସିଟିସିଏମ୍‌ ପରି ୫ଟି ଟ୍ରେଡର ୪ଶହରୁ ଅଧିକ ଛାତ୍ରଛାତ୍ରୀ ଇଂଜିନିୟରିଂ ଡ୍ରଇଂ(ଇଡି) ପରୀକ୍ଷା ମାସକ ପୂର୍ବେ ଦେଇଥିଲେ । ଅନ୍‌ଲାଇନ୍‌ରେ ନ୍ୟାସନାଲ କାଉନସିଲ ଅଫ୍‌ ଭୋକେସନାଲ୍‌ ଟ୍ରେନିଂ(ଏନ୍‌ସିଭିଟି) ପକ୍ଷରୁ ପରୀକ୍ଷା କରାଯାଇଥିଲା । ଚଳିତମାସ ୧ ତାରିଖରେ ଏନ୍‌ସିଭିଟି ପରୀକ୍ଷାଫଳ ପ୍ରକାଶ କରିଥିଲା। ପ୍ରଥମେ ସବୁ ବିଷୟର ରେଜଲ୍ଟ ସାଇଟ୍‌ରେ ପ୍ରକାଶ ହୋଇ ନଥିଲା । ୩ ତାରିଖ ସୁଧା ସମସ୍ତ ବିଷୟର ମାର୍କ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା । ଏଥିରେ ୫ଟି ଟ୍ରେଡର ୪ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଇଡି ବିଷୟରେ ଶୂନ ଥିବା ଦେଖିବାକୁ ମିଳିଥିଲା ।

ଅନ୍ୟ ସବୁ ବିଷୟରେ ଆଶା ଅନୁସାରେ ଛାତ୍ରଛାତ୍ରୀ ନମ୍ବର ରଖିଥିବା ବେଳେ ଗୋଟିଏ ବିଷୟରେ ଶତାଧିକ ପିଲା ଶୂନ ରଖିବା ସମସ୍ତଙ୍କୁ ଆଶଙ୍କାରେ ପକାଇଛି । ଏହାକୁ ନେଇ ଛାତ୍ରଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । କର୍ତ୍ତୃପକ୍ଷ ଏନ୍‌ସିଭିଟିକୁ ଜଣାଇବା ପରେ ୫ ତାରିଖ ସୁଧା ଠିକ ମାର୍କ ୱେବସାଇଟ୍‌ରେ ଛାଡ଼ି ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଆଜି ଯାଏ ବି ତାହା ସମ୍ଭବ ହେଲା ନାହିଁ । ଆସନ୍ତା ଦୁଇ ଦିନ ମଧ୍ୟରେ ଠିକ ମାର୍କ ପ୍ରକାଶ ପାଇବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ଏନେଇ କଲେଜ ଅଧ୍ୟକ୍ଷ ଇଂଜିନିୟର ହୃଷିକେଶ ମହାନ୍ତି କହିଛନ୍ତି ଯେ ଏନ୍‌ସିଭିଟି ସମସ୍ତ ପରୀକ୍ଷା କରିବା ସହ ଫଳ ପ୍ରକାଶ କରିଥାଏ । ମାତ୍ର ଏଥର ଇଡି ବିଷୟର ନମ୍ବର ଭୁଲରେ ଏନ୍‌ସିଭିଟି ପକ୍ଷରୁ ସିଷ୍ଟମରେ ଏଣ୍ଟ୍ରି କରାଯାଇ ନାହିଁ । ଆସନ୍ତା ଦୁଇ ଦିନ ମଧ୍ୟରେ ଠିକ ନମ୍ବର ପ୍ରକାଶ ପାଇବ ବୋଲି ଏନ୍‌ସିଭିଟି ସୂତ୍ରରୁ ସୂଚନା ମିଳିଛି ।