ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ !

466

କନକ ବ୍ୟୁରୋ : ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲେ । ମଝିରେ ମଝିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବା ଯୋଗୁ ହସପିଟାଲରେ ଭର୍ତି ହେଉଥିଲେ । ଓଡ଼ିଶା ଭାଷା ଆନ୍ଦୋଳନର ମୁଖ୍ୟଥିଲେ ବୈଷ୍ଣବ ପରିଡ଼ା । ଭାଷା ସାହିତ୍ୟ ଆନ୍ଦୋଳନର ମୁଖ୍ୟ ଭାବେ ସେ ଓଡ଼ିଆ ଭାଷାର ବିକାଶ ଏବଂ ପ୍ରଚଳନକୁ ସାର୍ବଜନୀନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବୈଷ୍ଣବ ପରିଡ଼ା ଏକାଧାରରେ ଥିଲେ ଜଣେ ରାଜନେତା, ଲେଖକ ଓ ସମାଜେସେବୀ । ୧୯୪୧ ଫେବୃୟାରୀ ୧୫ରେ ଯାଜପୁରର ତାଙ୍କର ଜନ୍ମ ହୋଇଥିଲା । ୧୯୬୦ ରୁ ୧୯୯୨ ପର୍ଯ୍ୟନ୍ତ ସେ ଥିଲେ ସିପିଆଇ ନେତା । ୧୯୯୩ରେ କଂଗ୍ରେସରେ ସାମିଲ ହୋଇଥିଲେ ବୈଷ୍ଣବ ପରିଡ଼ା । ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରେ ଥିଲେ । ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ସେ ସମାଜବାଦୀ ପାର୍ଟିରେ ଥିଲେ ୨୦୦୮ ମଧ୍ୟଭାଗରେ ସେ ବିଜେଡ଼ିରେ ସାମିଲ ହୋଇଥିଲେ ।

୨୦୧୦ରେ ବିଜେଡ଼ି ପକ୍ଷରୁ ସେ ରାଜ୍ୟସଭା ସାଂସଦ ହୋଇଥିଲେ । ୨୦୧୬ ଜୁଲାଇ ୧ରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା । ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପରିଡ଼ାଙ୍କ ପରଲୋକରେ ରାଜନୈତିକ ନେତା ଓ ବଦ୍ଧିଜୀବୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।