ବୀରପୁତ୍ରଙ୍କ ଶୌର୍ଯ୍ୟ ଓ ବଳିଦାନ ଖାଲି କ’ଣ ଯୁଦ୍ଧ ପାଇଁ ? ଏଇ ଆଖି ଦେଖିଛି ଶହ ଶହ ଯବାନଙ୍କ ରକ୍ତ ଜର୍ଜରିତ ଶରୀର । ଚୀନର ପୂର୍ବତନ ସେନାଧିକାରୀ କହିଲେ ଯୁଦ୍ଧ ବିଭିଷୀକାର କାହାଣୀ

1,885

କନକ ବ୍ୟୁରୋ : ମୁଁ ଦେଖିଛି ଯୁଦ୍ଧର ଭୟଙ୍କର ସ୍ଥିତି । ଆଖି ସାମ୍ନାରେ ଗଡ଼ୁଥିଲା ଶହ ଶହ ଯବାନଙ୍କ ରକ୍ତ ଜର୍ଜରିତ ଶରୀର । ମାଟି ମା’ ପାଇଁ ମାଟିରେ ଲୋଟି ପଡ଼ୁଥାଏ ବୀର ପୁତ୍ର   ସେନା ବାହିନୀର ଶୌର୍ଯ୍ୟ ଓ ବଳିଦାନ ଖାଲି କ’ଣ ଯୁଦ୍ଧ ପାଇଁ ? ଯୁଦ୍ଧ ବିଭିଷୀକାର କରୁଣା ଚେହେରା କେବଳ ଅଙ୍ଗେ ନିଭାଇଥିବା ଲୋକ ହିଁ ଅନୁଭବ କରିପାରେ । ମୃତ୍ୟୁକୁ ଡରି ବୀର କେବେ ପଛଘୁଞ୍ଚା ଦିଏନାହିଁ । ଦେଶ ମାତୃକାକୁ ବିଦେଶୀ ଆକ୍ରମଣରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିସର୍ଜନ କରିଦିଏ । ହେଲେ ଯୁଦ୍ଧରୁ କି ଲାଭ ମିଳେ ?

ଯୁଦ୍ଧର ଭୟଙ୍କର ପରିଣାମକୁ ଆଖିରେ ଦେଖିଥିବା ଚୀନର ଜଣେ ପୂର୍ବତନ ସେନାଧିକାରୀ ଏକଥା ପ୍ରକାଶ କରିଛନ୍ତି । ମୁଁ ଚାହେଁନି ଚୀନ ଓ ଭାରତ ମଧ୍ୟରେ କୌଣସି ପ୍ରକାର ଯୁଦ୍ଧ ହେଉ । ସେ କହିଛନ୍ତି ଯୁଦ୍ଧ କରିବା ସହଜ ହେଲେ ଯୁଦ୍ଧକୁ ବନ୍ଦ କରିବା ଆଦୌ ସହଜ ନୁହେଁ । ଯୁଦ୍ଧରେ କୌଣସି ବି ଦେଶକୁ ଲାଭ ମିଳେନି । ଯୁଦ୍ଧ ପାଇଁ ନୁହେଁ ବରଂ ଶାନ୍ତି ପାଇଁ ଦରକାର ବିଶାଳ ହୃଦୟ । ଯୁଦ୍ଧରେ କେବଳ କ୍ଷତି ସହିବା ସାର ହୁଏ । ଆର୍ଥିକ ଓ ସାମାଜିତ ସ୍ଥିତି ଦୋହଲି ଯାଏ । ସ୍ଥତି ସୁଧାରିବା ପାଇଁ ଯୁଗ ଯୁଗ ସମୟ ଲାଗିଯାଏ । ଭାରତର ଓ ପଡ଼ୋଶୀ ଦେଶ ଚୀନ ମଧ୍ୟରେ ଦଶକ ଦଶକ ଧରି ଚାଲିଥିବା ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ଯୁଦ୍ଧ ଆଶଙ୍କା କରି ବ୍ୟଥିତ ହୋଇଛନ୍ତି ଚୀନର ଆର୍ମି ମ୍ୟାନ୍ ୱାଙ୍ଗ୍ ଚି ।

୧୯୬୨ ଭାରତ ଚୀନ ଯୁଦ୍ଧ ସମୟରେ ଭୁଲରେ ସେ ଭାରତ ସୀମାକୁ ପଶିଆସିଥିଲେ । ଫଳସ୍ୱରୂପ ତାଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ଭାରତରେ ଯୁଦ୍ଧବନ୍ଦୀ ହୋଇ ରହିବାକୁ ପଡ଼ିଥିଲା  । ନିଜ ଲୋକଙ୍କ ଠାରୁ ଦୂରେଇ ରହିବା କେତେ କଷ୍ଟକର ସେକଥା ଭଲଭାବେ ଅନୁଭବ କରିଛନ୍ତି । ତେବେ ବନ୍ଦୀ ଜୀବନରୁ ମୁକ୍ତି ପାଇବା ପରେ ଚୀନ ଫେରିନଥିଲେ ୱାଙ୍ଗ୍ ଚି ।  ଭାରତର ସରକାର ଓ ଏଠାକର ଲୋକଙ୍କ ଭଲପାଇବା ଓ ସମ୍ମାନ ପାଇ ଏଇ ଦେଶକୁ ନିଜର କରିନେଇଥିଲେ । ଏଇଠି ବିବାହ କରି ଏଇଠି ସଂସାର ଗଢ଼ିଥିଲେ । ଆଉ ସେବେଠାରୁ ୱାଙ୍ଗ୍ ଚି ଗଲୱାନ ସୀମାବର୍ତ୍ତୀ ଏକ ଗାଁରେ ପରିବାର ନେଇ ରହୁଛନ୍ତି ।

ନିତି ପ୍ରତିଦିନ ସୀମାରେ ହେଉଥିବା ଉତ୍ତେଜନା ଓ ପଥରବର୍ଷା ଦେଖୁଥିବା ମଣିଷ ଆଉ ଯୁଦ୍ଧ ଚାହୁଁନି । ଅକାଳରେ ବୀର ପୁତ୍ରର ଜୀବନ ଯାଉ, କିମ୍ବା  ଦେଶରେ ଅଯଥାରେ ଦାରିଦ୍ର୍ୟ, ମରୁଡ଼ି ଓ ବେରୋଜଗାରୀ ସୃଷ୍ଟି ହେଉ ବୋଲି ସେ ଆଦୌ ଚାହାନ୍ତିନି ।