ଶ୍ରୀମନ୍ଦିର ଚାରିପାଖରେ ଜାରି ରହିବ ୭୫ ମିଟର ଉଚ୍ଛେଦ : ସୁରକ୍ଷିତ ରହିବ ମଠ ଗାଦି ଓ ମନ୍ଦିର,ଆତଙ୍କିତ ନ ହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

313

କନକ ବ୍ୟୁରୋ : ପୁରୀରେ ଜାରି ରହିବ ଉଚ୍ଛେଦ କାମ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ଆଉ ଏକ ସୂଚନା ସ୍ପଷ୍ଟ କରିଛି । ଉଚ୍ଛେଦକୁ ନେଇ ଆତଙ୍କିତ ହେବାର ପ୍ରଶ୍ନ ଉଠୁନି । ଶ୍ରୀମନ୍ଦିର ନିରାପତାକୁ ଦୃଷ୍ଟିରେ ରଖି ମେଘନାଦ ପାଚେରୀରୁ ୭୫ ମିଟର ଯାଏଁ ହିଁ ଉଛେଦ କରାଯିବ । କିନ୍ତୁ ଏହାକୁ ବିକୃତ କରି ବାହାରେ ପ୍ରକାଶ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ଗଳିକନ୍ଦିରେ ଉଛେଦ କଥାକୁ ଗୁଜବ ବୋଲି ସେ କହିଛନ୍ତି । ପୁରୀ ବାସୀ ଏପରି କଥାରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହିତ ପୁରୀରେ କେବଳ ଅସୁରକ୍ଷିତ କୋଠାକୁ ଭଂଗା ଯାଉଛି । ମଠର ଐତିହ୍ୟ, ଗାଦି ଓ ଦେବାଳୟର ସୁରକ୍ଷା ପ୍ରତି ସରକାର ସଂବେଦନଶୀଳ ଅଛନ୍ତି । ଉଛେଦ ହେଉଥିବା ମଠ , ଗାଦି ଓ ମନ୍ଦିରର କୌଣସି କ୍ଷତି ହେବନାହିଁ । ଏହାକୁ ସୁରକ୍ଷା ପ୍ରଦାନ କରିଯିବ । ସରକାର ଏହାର ବିକାଶ ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଆଗରୁ ମଠରେ ଥିବା ଠାକୁରଙ୍କୁ କେହି ଭିତରକୁ ଯାଇ ଦର୍ଶନ କରିପାରୁନଥିଲେ , ପୁନରୁଦ୍ଧାର ପରେ ସମସ୍ତେ ଏହା ଭିତରକୁ ଯାଇ ଦର୍ଶନ କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ନୂଆ ରୂପରେ ଆସିବ ପୁରୀ ଏମାର ମଠର ରଘୁନନ୍ଦନ ପାଠଗାର । ଅତ୍ୟାଧୁନିକ ଭିତ୍ତିଭୂମି ସହ ନିର୍ମାଣ ହେବ ନୂଆ ଲାଇବ୍ରେରୀ । ତାଳପତ୍ର ପୋଥି, ପାଣ୍ଡୁଲିପି ଓ ଦୁମୂଲ୍ୟ ବହିର ଡିଜିଟାଇଜେସନ କରାଯିବା ସହ ଏସବୁର ସଂରକ୍ଷଣ କରାଯିବ । ଏଥିପାଇଁ ୫କୋଟି ଟଙ୍କା ମଞ୍ଜୁରି କରିଛନ୍ତି ସରକାର । ଏମାର ମଠକୁ ଉଛେଦ କରାଯିବା ସମୟରେ ଶହ ଶହ ବର୍ଷର ପୁରୁଣା ଲାଇବ୍ରେରୀ ରଘୁନନ୍ଦନ ପାଠଗାରକୁ ଭାଙ୍ଗି ଦିଆଯାଇଥିଲା । ଏହି ପାଠାଗାରରେ ବହୁ ପୁରାତନ ଓ ଜଗନ୍ନାଥ ସଂସ୍କୃତି ସହ ଜଡିତ ବହୁ ପୁସ୍ତକ ଓ ତାଳପତ୍ର ପୋଥି ରହିଥିଲା । ଏହା ସହ ବହୁ ହିନ୍ଦୀ, ଇଂଲିଶ, ସଂସ୍କୃତି ଓ ଓଡିଆ ଭାଷାର ବହୁ ଦୁର୍ମୁଲ୍ୟ ପୁସ୍ତକ ରହିଥିଲା । କିନ୍ତୁ ଏହାକୁ ଭାଙ୍ଗିବା ପରେ ଏହା ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । କାରଣ ଏହାକୁ ସ୍ଥାନାନ୍ତର କରାଯାଇଥିଲେ ବି କେଉଁଠି ନିର୍ମାଣ କରାଯିବ ସେ ନେଇ ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା । ଫଳରେ ୧୯୨୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ର୍ରାଚୀନ ଗ୍ରନ୍ଥାଗାରର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା ।

ଏହାସହ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ଚାରିପଟରୁ ଚାଲିଥିବା ଉଛେଦ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କ ଥଇଥାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । କହିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ୮୧ ଦୋକାନୀଙ୍କ ମଧ୍ୟରୁ ୨୬ ଜଣଙ୍କୁ ଥଇଥାନ କରାଯାଇଛି । ସେମାନଙ୍କୁ ଜଗନ୍ନାଥ କ୍ରାଫ୍ଟ କମ୍ପେ୍ଲକ୍ସରେ ଦୋକାନ କରିବା ପାଇଁ ମଞ୍ଜୁରି ମିଳିଛି । ଅନ୍ୟମାନେ ଥଇଥାନ ପାଇଁ ଆବେଦନ କଲେ ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ । ଏହା ସହିତ ମଙ୍ଗଳବାରଠାରୁ ବଡଛତା ମଠ ଉଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଗଣେଷ ଚତୁର୍ଥୀ ଓ ରବିବାର ଥିବାରୁ ଦୁଇ ଦିନ ଉଛେଦ କାର୍ଯ୍ୟ ବନ୍ଦ ରଖିବାକୁ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ ।