ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି : ଏମାର ମଠର ବାକି ଥିବା ଦୋକାନ ଘର ଭାଙ୍ଗୁଛି ପ୍ରଶାସନ

734

କନକ ବ୍ୟୁରୋ : ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଚାରି ଦିନ ବନ୍ଦ ରହିବା ପରେ ଆଜି ପୁଣି ଆରମ୍ଭ ହୋଇଛି ଉଛେଦ ଅଭିଯାନ । ଭଙ୍ଗାଯାଉଛି ଏମାର ମଠରେ ଥିବା ଅବଶିଷ୍ଟ ଦୋକାନ ଘର । କଡା ସୁରକ୍ଷା ଭିତରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତି ରହିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ରବିବାର ଛୁଟି ଦିନ ଓ ସୋମବାର ଗଣେଷ ପୂଜା ପଡିଥିବାରୁ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ୍ ରଖିଥିଲା ପୁରୀ ପ୍ରଶାସନ ।

ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା ଉଛେଦ ପ୍ରକ୍ରିୟା । ଏହାକୁ ବିରୋଧ କରି ବୁଲଡୋଜର ଆଗରେ ବିିଭିନ୍ନ ମଠର ସାଧୁସନ୍ଥ ବସିଥିଲେ । ଯାହା ଫଳରେ ଉଚ୍ଛେଦ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପରସ୍ଥିତିକୁ ନଜରରେ ରଖି ଗତକାଲି ସର୍ବଦଳୀୟ କମିଟି ସହ ଆଲୋଚନା କରିଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିପାରିନଥିଲା । କିନ୍ତୁ ମନ୍ଦିରର ୭୫ ମିଟର ଭିତରେ ଥିବା ଦୋକାନ ଘର ଓ ଅସୁରକ୍ଷିତ କୋଠାକୁ ଭଙ୍ଗାଯିବ ବୋଲି କହିଥିଲେ ଜିଲ୍ଲାପାଳ । ତେବେ ମଠର ଗାଦି ଓ ମୁଖ୍ୟ ମନ୍ଦିରକୁ ଉଚ୍ଛେଦ କରାଯିବ ନାହିଁ ।

ସେପଟେ ମଠ ଉଚ୍ଛେଦ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ ମହନ୍ତ । ମହନ୍ତ ଏବଂ ମଠାଧୀଶମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦସ୍ତଖତ ସମ୍ବଳିତ ଖୋଲା ଚିଠି ଲେଖିଛନ୍ତି । ରାଜ୍ୟ ସରକାର ମଠ ଉଚ୍ଛେଦ ନାଁରେ ଐତିହ୍ୟ ସଂସ୍କୃତି ଧ୍ୱଂସ କରୁଥିବା ଚିଠିିରେ ଲେଖାଯାଇଛି । ସେପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଠ ଉଚ୍ଛେଦକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଛି । ବିପି ଦାସ କମିଶନଙ୍କ ରିପୋର୍ଟରେ ମଠ ଉଚ୍ଛେଦକୁ ନେଇ କ’ଣ ଲେଖାଯାଇଛି ତାହା ସରକାର ସ୍ପଷ୍ଟ କରନ୍ତୁ । ଜଗଦଗୁରୁଙ୍କ ପରାମର୍ଶ ବିନା କମିଶନଙ୍କ ଏହି ରିପୋର୍ଟ ମଠ ସଂସ୍କୃତିକୁ ଲୋପ କରିବା ଏକ ଷଡଯନ୍ତ୍ର ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି ।