ବାଚସ୍ପତିଙ୍କ ଉପରେ ଶାସକ ଦଳ ବିଧାୟକ କ୍ଷୁବ୍ଧ : ଗୃହରେ ପ୍ରଶ୍ନ କରିବାର ଅବସର ମିଳୁନଥିବା ନେଇ ଆଣିଲେ ଅଭିଯୋଗ

189

କନକ ବ୍ୟୁରୋ : ବିଧାନସଭାରେ ପ୍ରଶ୍ନ କରିବାର ଅବସର ମିଳୁନି । ଗୃହରେ ବାଚସ୍ପତି ହିଁ ବିଧାୟକମାନଙ୍କୁ ପ୍ରଶ୍ନ କରିବାର ସୁଯୋଗ ଦେଉନାହାନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍ ଶାସକ ଦଳ ବିଧାୟକ । ବିରୋଧୀଙ୍କ ଅଭିଯୋଗ ଅପେକ୍ଷା ବର୍ତ୍ତମାନ ଶାସକ ଦଳର କିଛି ସଦସ୍ୟ ବିରୋଧୀ ଭୂମିକା ନିଭାଉଥିବାର ଦେଖିବାକୁ ମିଳିଛି । ବିରୋଧୀଙ୍କ ପ୍ରଶ୍ନବାଣ ଅପେକ୍ଷା ଦଳୀୟ ବିଧାୟକମାନେ ହିଁ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିଛି ଦିନ ପୂର୍ବରୁ ପ୍ରଶ୍ନକାଳରେ ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଥା କଟାକଟି ହୋଇଥିଲେ । କଥା ଏତେ ବଢ଼ିଯାଇଥିଲା ଯେ ବିଧାନସଭା ନଯିବାକୁ ଧମକ ଦେଇଥିଲେ ମହାରଥୀ । ପୁଣି ଏବେ ବାଚସ୍ପତି ପ୍ରଶ୍ନ କରିବାର ସୁଯୋଗ ନଦେବା କଥା ଉଠାଉ ଆଉ ବିଧାୟକମାନେ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି ।

ବାଚସ୍ପତିଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ଶାସକ ଦଳ ବିଧାୟକ । ପବିତ୍ର ଗୃହରେ ବିଧାୟକମାନେ ସବୁ ସମସ୍ୟାକୁ ଉତଥାପନ କରିବା ଉଚିତ । ଗୃହରେ ପ୍ରଶ୍ନ କରିବାର ସମସ୍ତଙ୍କର ଅଧିକାର ରହିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସୁଧୀର ସାମଲ୍ । ଦଳବଳ ନିର୍ବିଶେଷରେ ସମସ୍ତଙ୍କୁ ସୁଯୋଗ ମିଳିବା କଥା । ନିଜ ନିଜ ଅଂଚଳର ସମସ୍ୟା ନେଇ ସବୁ ବିଧାୟକମାନେ ଗୃହରେ ପ୍ରଶ୍ନ କରୁଛନ୍ତି । କେଉଁ ନିର୍ବାଚନ ମଣ୍ଡଳୀରେ କେଉଁ ସମସ୍ୟା ରହିଛି । ବିଧାୟକ ମାନେ ହିଁ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ । ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ନମିଳିଲେ ରାଜ୍ୟ ସରକାର ଲୋକଙ୍କ ବିଷୟରେ ଜାଣିପାରିବେ ନାହିଁ । ଅସୁବିଧା ଜାଣିଲେ ହିଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହୋଇପାରିବେ । ହେଲେ ହାତ ଉଠାଇଲେ ବି ବାଚସ୍ପତି କହିବାର ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଧୀର ସାମଲ୍ । ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିନଥିବା କଥା କହିଲେ ମଧ୍ୟ ମୁହଁର ଭାବରୁ ସବୁକିଛି ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ହାତ ଉଠାଇବା ପରେ ବାଚସ୍ପତି ମହୋଦୟ କାହିଁକି ଡାକିନଥିଲେ ମୁଁ ଜାଣିନି ବୋଲି କ୍ଷୋଭଭରା କଣ୍ଠରେ କହିଛନ୍ତି ସୁଧୀର ସାମଲ ।

ବେଗୁନିଆ ବିଧାୟକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ବିଧାୟକ ମାନଙ୍କ ପାଖରେ ପ୍ରଶ୍ନ କରିବା ପାଇଁ ମାତ୍ର ଏକ ଘଂଟା ସମୟ ଥାଏ । ହେଲେ ତିନି ଚାରି ଥର ହାତ ଉଠାଇଥିଲେ ବି ବାଚସ୍ପତି ପ୍ରଶ୍ନ କରିବା ପାଇଁ ଦେଉନାହାନ୍ତି ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ । ପ୍ରଶ୍ନ କରିବାର ସୁଯୋଗ ନମିଳିବାରୁ ବିରକ୍ତ ହୋଇଥିଲେ ବିଧାୟକ । ପରବର୍ତ୍ତୀ ସମୟରେ କହିବାର ସୁଯୋଗ ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି । ସବୁବେଳେ ମନା କରିବାର କୌଣସି କାରଣ ନାହିଁ । ଏହାସହ ବିଧାୟକ ଅରବିନ୍ଦ ଢ଼ାଲି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଶାସକ ଦଳ ବିଧାୟକଙ୍କ ବ୍ୟତୀତ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବାଚସ୍ପତିଙ୍କ ଉପରେ ପ୍ରଶ୍ନୋତ୍ତର ନେଇ ରାଗିଯାଇଛନ୍ତି । ଗୃହରେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା କଥା । ସମସ୍ତ ବିଧାୟକ ପ୍ରଶ୍ନୋତ୍ତରରେ ସାମିଲ ହେବା ଆବଶ୍ୟକ । ହେଲେ ବାଚସ୍ପତି ସମସ୍ତଙ୍କୁ ସମାନ ସୁଯୋଗ ଦେବାକୁ ବଞ୍ଚିତ କରୁଛନ୍ତି ।