କନକ ବ୍ୟୁରୋ: ଚାରି ଦଶନ୍ଧି ଧରି କମେଡି ଟାଇମିଂରେ ଲୋକଙ୍କୁ ହସାଉଥିଲେ, ସୁନେଲୀ ପରଦାରୁ ସିରିଏଲ୍ ସବୁଠି ଥିଲା ତାଙ୍କ ଦବଦବା । ସେଥିପାଇଁ ତାଙ୍କୁ ଲୋକେ କହୁଥିଲେ କମେଡି ଟାଇମିଂର ବାଦଶାହ । ହେଲେ ସେ ଦିଗଜ୍ଜ କମେଡିଆନ୍ ସତୀଶ ଶାହ ଆଜି ଶେଷନିଦ୍ରାରେ । ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଗଲେ ‘ସାରା ଭାଇ ଭର୍ସେସ୍ ସାରା’ର ଅଭିନେତା ସତୀଶ ଶାହ ।

Advertisment

ନିଜ କମିକ୍ ଏକ୍ସପ୍ରେସନ ଜରିଆରେ ସମସ୍ତଙ୍କୁ ହସାଉଥିବା ସତୀଶଙ୍କର କିଡନି ଜନିତ ସମସ୍ୟା ଥିଲା । କିଛି ବର୍ଷ ହେବ ସେ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ । ଏପରିକି ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କର କିଡନି ମଧ୍ୟ ପ୍ରତିରୋପଣ କରାଯାଇଥିଲା । ଏହା ସତ୍ତ୍ବେ ବି ପରପାରିକୁ ଚାଲିଗଲେ ଏହି ଭେଟେରାନ୍ କଳାକାର ।

ଅଧିକ ପଢ଼ନ୍ତୁ--Malkangiri : ଅଦ୍ଭୁତ ପରମ୍ପରା: ଗାଈ ରଖିବେ ହେଲେ କ୍ଷୀର ଦୁହିଁବେନି

ସତୀଶ ଶାହ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ତାଙ୍କର କମେଡି ଟାଇମିଂ ଜରିଆରେ ଘରେ ଘରେ ପରିଚିତ ଥିଲେ । ୧୯୮୩ ମସିହାରେ ଡାର୍କ କମେଡି ଚଳଚ୍ଚିତ୍ର ‘ଜାନେ ଭି ଦୋ ୟାରୋ’ରେ ଏକାଧିକ ଚରିତ୍ରକୁ ଖୁବ୍ ନିଖୁଣ ଭାବେ ନିଭାଇଥିଲେ । ଏହି ଫିଲ୍ମ ପରେ ସେ 'ହମ୍ ସାଥ୍-ସାଥ୍ ହେଁ', 'ମେଁ ହୁଁ ନା', 'କଲ୍ ହୋ ନା ହୋ', 'କଭି ହାଁ କଭି  ନା', 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ', 'ଓମ୍ ଶାନ୍ତି ଓମ୍' ଭଳି ଲୋକପ୍ରିୟ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

ଚଳଚ୍ଚିତ୍ର ଜଗତରେ ଛାପ ଛାଡ଼ିବା ପରେ, ସତୀଶ ଶାହ ଟେଲିଭିଜନ ଜଗତରେ ମଧ୍ୟ ଅନେକ ସଫଳତା ହାସଲ କରିଥିଲେ । ସାରା ଭାଇ ଭର୍ସେସ୍ ସାରାଭାଇ, ନେହେଲେ ପେ ଦେହେଲା, ଏବଂ 'ଫିଲ୍ମି ଚକ୍କର' ଭଳି ଧାରାବାହିକରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଆଜି ବି ଘର କରି ରହିଛି । ଖାଲି ଏତିକି ନୁହେଁ ଧାରାବାହିକ 'ୟେ ଯୋ ହେ ଜିନ୍ଦେଗୀ’ ସିରିଏଲରେ ସେ ୫୦ଟି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଯାହା ସଭିଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଛି । ସିନେ ଦୁନିଆର ଏଭଳି ମହାନ କଳାକାରଙ୍କ ଦେହାନ୍ତରେ ଶୋକରେ ବୁଡ଼ିଛି ସାରା ବଲିଉଡ୍ ଜଗତ । ସବ୍ଧ ହୋଇଯାଇଛନ୍ତି କମେଡିକୁ ଓ କମିକ୍ ଟାଇମିଂକୁ ଭଲ ପାଉଥିବା ଫ୍ୟାନ୍ସ ।