କନକ ବ୍ୟୁରୋ: ଗାଈ ଚରୁଛନ୍ତି, ଛେଳି ଚରୁଛନ୍ତି । ପ୍ରତିଘରେ ଅଛି ଗାଈ । ହେଲେ ଏମାନେ କେବେ ଗାଈ ଦୁହୁଁନାହାନ୍ତି । ଇଏ ଆଜି କି କାଲିର କଥା ନୁହେଁ ବରଂ ବର୍ଷବର୍ଷର କଥା । ସ୍ବାଭିମାନ ଅଞ୍ଚଳରେ ଏତେ ମାତ୍ରାରେ ଗାଈ ରହିଛି ଯେ ଦୁଗ୍ଧ ଉତ୍ପାଦନ କରି ଏମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ । ହେଲେ ଏମାନେ କେବେ ବି କ୍ଷୀର ବେପାର କରୁନାହାନ୍ତି । ଏହା ପଛରେ ବି ରହିଛି ବିଶ୍ବାସ । ଏମାନେ ଭାବନ୍ତି, ଗାଈଠୁ କ୍ଷୀର ଦୁହିଁଲେ ବାଛୁରୀ ଦୁର୍ବଳ ହେବ । ସେଇଥି ଲାଗି ତ ଗାଈ କ୍ଷୀର ନ ଦୁହିଁ କେବଳ ପାଳୁଛନ୍ତି ।
ଗାଈ ରଖିଛନ୍ତି, ଛେଳି ରଖିଛନ୍ତି
ହେଲେ ଦୁହାଁ ଯାଉନି
ବର୍ଷବର୍ଷ ଧରି ଚାଲିଆସିଛି ଏହି ପରମ୍ପରା
ମାଲାକନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳବାସୀଙ୍କ ବିଚିତ୍ର ନୀତି । ଜିଲ୍ଲାର ବୁଡି ଅଂଚଳ ଭାବେ ପରିଚିତ ସ୍ୱାଭିମାନ ଅଂଚଳରେ ହଜାର ହଜାର ସଂଖ୍ୟକ ଗାଈ ଗୋରୁ ଅଛନ୍ତି । ଗୋପାଳନ ଦିଗରେ ସ୍ୱାଭିମାନ ଅଂଚଳରେ ଅପାର ସମ୍ଭାବନା ଥାଇ ମଧ୍ୟ ଏ ଦିଗରେ ଜୀବିକା ନିର୍ବାହ କରିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ତେବେ ନା ଏମାନଙ୍କୁ ସଚେତନ କରାଯାଉଛି, ନା ସରକାରୀ ଯୋଜନାର ଲାଭ ମିଳୁଛି ସ୍ୱାଭିମାନ ଅଂଚଳବାସୀଙ୍କୁ ।
ଗୁରୁପ୍ରିୟା ସେତୁର ପାଦଦେଶରେ ଚରୁଛନ୍ତି ଶହଶହ ଗାଈଗୋରୁ । ଖୁବ ଭଲଭାବେ ଏମାନଙ୍କ ଯତ୍ନ ମଧ୍ୟ ନିଆଯାଉଛି । ତେବେ ଆଶ୍ଚର୍ଯ୍ୟର କଥା, ଏହି ଗାଈ କ୍ଷୀର ବ୍ୟବହାର କରୁନାହାନ୍ତି ସ୍ୱାଭିମାନ ଅଂଚଳର ଲୋକେ । ପିଲାଠୁ ବୁଢ଼ା କେହି ବି ଗାଈ କ୍ଷୀର ପିଉନାହାନ୍ତି । ପୂର୍ବପୁରୁଷରୁ ଚାଲି ଆସୁଛି ଏହି ପ୍ରଥା । ଗୁରୁପ୍ରିୟା ସେତୁ ନିକଟ ଗାଁ ସନ୍ନ୍ୟାସୀଗୁଡାର ସତ୍ୟ ରାଓସାରୁଙ୍କ ୧୦ ଟି ଗାଈ ଅଛି । ତେବେ ପୂର୍ବପୁରୁଷରୁ ଆଦୌ ତାଙ୍କ ଘରେ ଗାଈ ଦୁହାଁ ହୋଇ ନଥିବା କହିଛନ୍ତି ସତ୍ୟ ।
ସ୍ୱାଭିମାନ ଅଂଚଳର ୯ଟି ପଂଚାୟତରେ ୧୪,୦୯୨ ଗାଈଗୋରୁ ଅଛନ୍ତି । ୬୩୮ଟି ମଇଁଷି ବି ରହିଛି । ୧୯୯୯ ଟି ମେଣ୍ଢା ଓ ୮୨୦୨ ଟି ଛେଳି ରହିଛି । ତେବେ ବଂଶ ବୃଦ୍ଧି ଓ ହଳ ବଳଦ ଛଡା ଏମାନଙ୍କର ଉପକାରିତା ହିଁ ଆଉ କିଛିନାହିଁ । ପୂର୍ବରୁ ନାବାର୍ଡ ଦ୍ୱାରା ପରିଚାଳିତ ଡିଇଡିଏସ ବା ଡାଇରି ଏଣ୍ଟର୍ପ୍ରିନୁୟରସିପ୍ ଡେଭଲପମେଣ୍ଟ ସ୍କିମରେ ଆଦୌ ହାଇ ୟିଲ୍ଡିଙ୍ଗ ଗାଈ ଯୋଗାଣ ହୋଇ ନାହିଁ । ଆଉ ଏବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମଧ୍ୟ ଗାଈ ଯୋଗାଣ ହୋଇନଥିବା ବେଳେ ୪୧ ହିତାଧିକାରୀଙ୍କୁ ୮୨ ହାଇ ୟିଲ୍ଡିଙ୍ଗ ଗାଈ ଯୋଗାଇ ଲାଗି ସ୍ଥିର ହୋଇ ଥିବା ଜଣାପଡିଛି ।
ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ୨ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟରେ ୧୦ରୁ ୧୩ ଲିଟର କ୍ଷୀର ଦେଉଥିବା ଗାଈ ମିଳିବା ନେଇ ବ୍ୟବସ୍ଥା ଥିବା ବେଳେ ୭୦ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୬୧ ହଜାର ଟଙ୍କାର ରିହାତି ବ୍ୟବସ୍ଥା ବି ରହିଛି । କିନ୍ତୁ ଗୋପାଳନ ଦିଗରେ ସ୍ବାଭିମାନ ଅଞ୍ଚଳର ବାସିନ୍ଦାଙ୍କ ଇଚ୍ଛା ନଥିବା ପରି ମନେ ହେଉଛି ।
(ମାଲକାନଗିରିରୁ ଦେବବ୍ରତ ସାନାଙ୍କ ରିପୋର୍ଟ)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/26/traditional-cow-rearing-2025-10-26-16-07-41.jpg)