କନକ ବ୍ୟୁରୋ : ‘ସଫଳତା’ ଚାରି ଅକ୍ଷରର ଏହି ଶବ୍ଦଟି ଶୁଣିବାକୁ ଯେତେ ସରଳ ଲାଗେ ପାଇବାଟା ତା’ଠୁ ଅଧିକ ଜଟିଳ । ସଂଘର୍ଷର ସିଡ଼ି ନ ଚଢ଼ିଲେ ଜଣେ ସଫଳତାର ସ୍ବାଦ ଚାଖି ପାରେନାହିଁ । କିନ୍ତୁ ଆଜିର ସୋସିଆଲ୍ ମିଡ଼ିଆ ଯୁଗରେ କେବେ କାହାର ରାତାରାତି ଭାଗ୍ୟ ପରିବର୍ତ୍ତନ ହେବ ତାହା କେହି ଜାଣନ୍ତି ନାହିଁ । ସୋସିଆଲ୍ ମିଡ଼ିଆ ଭାଷାରେ ଭାଇରାଲ୍ ହେଲେ ଅଧିକ ଭ୍ୟୁ ଏବଂ ଭ୍ୟୁ ପରେ ପରେ ସୁଯୋଗ ଏବଂ ସୁଯୋଗରୁ ଆରମ୍ଭ ହୁଏ ସଫଳତାର ବାଟ । ଏମିତି ହିଁ କିଛି ଘଟିଗଲା ଜଣେ ମାଳା ବିକ୍ରେତା ଝିଅଙ୍କ କ୍ଷେତ୍ରରେ । ଆପଣଙ୍କ ମନେ ଥିବ ଚଳିତବର୍ଷର ମହାକୁମ୍ଭ ମେଳାରେ ଜଣେ ଝିଅଙ୍କ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଥିଲା । ନୀଳନୟନା ଝିଅଟି ଦୁଇପଇସା ରୋଜଗାର ପାଇଁ ଯେତେବେଳେ ହାତରେ ମାଳା ଧରି ମହାକୁମ୍ଭରେ ବିକ୍ରି କରୁଥିଲା ସେ କ’ଣ ଜାଣିଥିଲା ଯେ ତା’ର ଭାଗ୍ୟ ଏତେ ଶୀଘ୍ର ବଦଳିଯିବ । କିନ୍ତୁ ବର୍ତ୍ତମାନର ସମୟ ଦେଖନ୍ତୁ ଗରିବ ଝିଅଟି ଆଜି ଅଭିନେତ୍ରୀ ମୋନାଲିସାର ପରିଚୟ ପାଇଛି ।
ମହାକୁମ୍ଭରେ ନିଜ ଚକ୍ଷୁଯୁଗଳକୁ ନେଇ ଚର୍ଚ୍ଚାର କେନ୍ଦ୍ର ସାଜିଥିବା ମୋନାଲିସା ଏବେ ଅଭିନୟରେ ଡେବ୍ୟୁ କରିସାରିଛନ୍ତି । ମୋନାଲିସାଙ୍କ ପ୍ରଥମ ଗୀତ ରିଲିଜ୍ ହୋଇସାରିଛି ଏବଂ ତାଙ୍କ ସଫଳତା ଦେଖି ଫ୍ୟାନ୍ସ ମଧ୍ୟ ବହୁତ ଖୁସି ଅଛନ୍ତି । ତାଙ୍କ ପ୍ରଥମ ଗୀତର ନାଁ ‘ସାଦଗି’ । ଏହି ମ୍ୟୁଜିକ୍ ଭିଡ଼ିଓ ମାଧ୍ୟମରେ ମୋନାଲିସା ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଭିଡ଼ିଓରେ ମୋନାଲିସାଙ୍କ ସହ ଅଭିନେତା ଉତ୍କର୍ଷ ସିଂ ନଜର ଆସୁଛନ୍ତି । ମେକର୍ସ ଭିଡ଼ିଓରେ ମୋନାଲିସାଙ୍କ ଆଖିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଏହି ଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଖିସାରିଲେଣି । ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।