କନକ ବ୍ୟୁରୋ : କଠିନ ପରିଶ୍ରମ ଏବଂ ସଂଘର୍ଷ ଏହି ଦୁଇଟି ସୋପାନକୁ ଗତି କଲା ପରେ ଜଣେ ଛାତ୍ର ସଫଳତାର ସିଡ଼ି ଚଢ଼େ । ଆପଣ ଆଗରୁ ଏମିତି ଅନେକ ସଫଳ ବ୍ୟକ୍ତିତ୍ବଙ୍କ ସଂଘର୍ଷର କାହାଣୀ ପଢ଼ି ପ୍ରେରଣା ପାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଛାତ୍ର ନୁହନ୍ତି ବରଂ ଜଣେ ଶିକ୍ଷକ । କୁନି କୁନି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏହି ଶିକ୍ଷକଜଣକ ଅହରହ ସଂଘର୍ଷ କରୁଛନ୍ତି । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୨୦ ବର୍ଷ ଧରି ଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ନଦୀ ପହଁରି ସ୍କୁଲ୍ ଯାଉଛନ୍ତି । ସାରଙ୍କ ନାଁ ହେଉଛି ଅବଦୁଲ ମଲ୍ଲିକ ଯେ କେରଳର ବାସିନ୍ଦା । ଯାହାଙ୍କ ସଂଘର୍ଷର କାହାଣୀ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । 

Advertisment
tube master
tube master Photograph: (google)

ବୟୋଜ୍ୟେଷ୍ଠ କହି ଯାଇଛନ୍ତି , ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର । ଯାହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଅବଦୁଲ ମଲ୍ଲିକ । କେରଳର ପଦିନଜଟ୍ଟୁମୁରୀରେ ରହୁଥିବା ଅବଦୁଲ ଜଣେ ଗଣିତ ଶିକ୍ଷକ । ଆଜିର ସମୟରେ ଯେଉଁଠି ଗମନାଗମନର ସୁବିଧା ନଥିଲେ ଲୋକ ଉକ୍ତ ସ୍ଥାନକୁ ଯିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ ସେଠାରେ ଅବଦୁଲ ଦୀର୍ଘ ୨୦ ବର୍ଷ ହେଲା କଡାଲୁଣ୍ଡି ନଦୀ ପାର୍ କରି ପିଲାଙ୍କୁ ପଢ଼ାଇବାକୁ ସ୍କୁଲ୍ ଯାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଗତ ୨୦ ବର୍ଷ ଭିତରେ ଅବଦୁଲ ସ୍କୁଲକୁ କେବେ ବିଳମ୍ବରେ ପହଞ୍ଚି ନାହାନ୍ତି କି ଅଯଥା ଛୁଟି ନେଇନାହାନ୍ତି । ପିଲାଙ୍କୁ ପାଠ ପଢ଼ାଇବାର ଇଚ୍ଛା ତାଙ୍କୁ ଛାତ୍ରଙ୍କ ଗହଣରେ ହିରୋ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ ସଜାଇ ଦେଇଛି । ଆଜିର ସମୟରେ ମଧ୍ୟ ଅବଦୁଲ ପ୍ରତିଦିନ ବହି , ପୋଷାକ , ଜୋତା ଏବଂ ଜରୁରି ସାମଗ୍ରୀକୁ ପ୍ଲାଷ୍ଟିକ୍ ଥଳି ଭିତରେ ପୂରାଇ ରବର ଟାୟାର୍ ମାଧ୍ୟମରେ ନଦୀ ପାର୍ କରୁଛନ୍ତି । 

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ , ଶିକ୍ଷକଙ୍କ କହିବା ମୁତାବକ ସ୍କୁଲକୁ ଯିବାକୁ ତାଙ୍କୁ ୧୨ କି.ମିର ରାସ୍ତା ଅତିକ୍ରମ କରିବାକୁ ପଡ଼େ । ବସରେ ଗଲେ ୩ ଘଣ୍ଟାର ବାଟ । ଏଭଳି ଲମ୍ବାଯାତ୍ରା କରି ପ୍ରତିଦିନ ବିଳମ୍ବରେ ପହଞ୍ଚିବା ଅପେକ୍ଷା ନଦୀରେ ପହଁରି ଯିବା ଅଧିକ ସମୟ ସାପେକ୍ଷ ତେଣୁ ସେ ନଦୀରେ ପହଁରି ସ୍କୁଲ୍ ଚାଲିଯାଆନ୍ତି । ଅବଦୁଲ ମଲ୍ଲିକ କୁହନ୍ତି ନଦୀରେ ଗଲେ ସ୍କୁଲରେ ପହଞ୍ଚିବାକୁ ତାଙ୍କୁ ମାତ୍ର ୧୫ ରୁ ୩୦ ମିନିଟ୍ ସମୟ ଲାଗେ । ଛାତ୍ରମାନେ ତାଙ୍କୁ ପ୍ରେମରେ ‘ଟ୍ୟୁବ୍ ମାଷ୍ଟର୍’ ବୋଲି ଡାକନ୍ତି । ଟାୟାର୍ ଏବଂ ଟ୍ୟୁବକୁ ସାଥି କରିଥିବା ଏହି ସାରଙ୍କୁ ଗାଁ ଲୋକ ମଧ୍ୟ ଖୁବ୍ ଭଲପାଆନ୍ତି । ଏହାଛଡ଼ା ସେ ପରିବେଶ ସଂରକ୍ଷଣ ଦିଗରେ ମଧ୍ୟ କାମ କରୁଛନ୍ତି । ଶିକ୍ଷକଜଣକ ଛାତ୍ରଙ୍କୁ ଗଣିତ ସୂତ୍ର ଶିଖାଇବା ସହ ପ୍ରକୃତିର ସମ୍ମାନ କରିବା ପାଇଁ ମଧ୍ୟ ପ୍ରେରିତ କରନ୍ତି । ସେ ଦୀର୍ଘ ବର୍ଷ ହେଲାଣି ନଦୀ ସଫେଇ ଅଭିଯାନର ନେତୃତ୍ବ କରିଆସୁଛନ୍ତି । ଏହି ଅଭିଯାନରେ ସେ ନିଜ ଛାତ୍ରଙ୍କ ସହ ମିଶି କଡାଲୁଣ୍ଡି ନଦୀ ସଫେଇ କରିଥା’ନ୍ତି । ତେବେ ଏହାର ଆରମ୍ଭ କେରଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଆସିବା ପରେ ସେ କରିଥିଲେ । ଯେଉଁଥିରେ ସ୍ପଷ୍ଟ ରୂପରେ କୁହାଯାଇଥିଲା ଯେ କଡାଲୁଣ୍ଡି ନଦୀରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଛି । ଆଉ ସେହି ଦିନଠାରୁ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅବଦୁଲ ଅଣ୍ଟା ଭିଡିଛନ୍ତି । ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଉଥିବା ବେଳେ ଛୁଟି ଦିନମାନଙ୍କରେ ଛାତ୍ରଙ୍କୁ ସନ୍ତରଣ ଶିକ୍ଷା ମଧ୍ୟ ଦିଅନ୍ତି , ଯାହାଦ୍ବାରା ଛାତ୍ରଙ୍କ ମନରେ ପାଣି ପ୍ରତି ଡର କମ ହେବ । ଆଜିର ସ୍ବାର୍ଥପର ଦୁନିଆରେ ଏଭଳି ଜଣେ ନିସ୍ବାର୍ଥପର ଶିକ୍ଷକଙ୍କୁ ପାଇବା ସତରେ ତାଙ୍କ ଛାତ୍ରଙ୍କ ପାଇଁ ସୌଭାଗ୍ୟର କଥା । ଏଭଳି ଶିକ୍ଷକଙ୍କୁ ଆମର ଶତ ସଲାମ ।