ଚିର ନିଦ୍ରାରେ ଧରମ୍‌ ଜୀ; ଶୋକରେ ବୁଡିଛି ବଲିଉଡ୍, ହି-ମ୍ୟାନଙ୍କୁ ଝୁରୁଛନ୍ତି ଅଗଣିତ ପ୍ରଶଂସକ

ବଲିଉଡ୍‌ରେ ଗୋଟିଏ ଯୁଗର ଅନ୍ତ । କାହା ପାଇଁ ସେ ହି-ମ୍ୟାନ୍, ମେଗା ଷ୍ଟାର୍... ଆଉ କାହା ପାଇଁ ଏବେ ବି ଥିଲେ ଶୋଲେର ଭୀରୁ । ଯାହାଙ୍କ ପ୍ରତିଟି ଡାଇଲଗ୍ ଅଭୁଲା । ଯାହାଙ୍କ ପ୍ରତିଟି ଆକ୍ସନ୍ ଯୋଶିଲା, ଯିଏ ପରଦାକୁ ଆସିଲେ, ଦର୍ଶକଙ୍କ ସିଟିରେ ହଲ୍‌ ଫାଟି ପଡ଼ୁଥିଲା । ଆଜି ଚିର ନିଦ୍ରାରେ ସେଇ ଧରମ୍‌ ଜୀ ।

Dharmendra Deol

Dharmendra Deol Photograph: (Kanak News)

କନକ ବ୍ୟୁରୋ : ଆରପାରିରେ ଧର୍ମେନ୍ଦ୍ର । ଶୋକରେ ବୁଡ଼ିଛି ବଲିଉଡ୍, ହି-ମ୍ୟାନ୍‌ଙ୍କୁ ଝୁରୁଛନ୍ତି ଅଗଣିତ ପ୍ରଶଂସକ । ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ଖବରରେ ସ୍ତବ୍ଧ ସାରା ଦେଶ । ମୁମ୍ୱାଇରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ, ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

ବଲିଉଡ୍‌ରେ ଗୋଟିଏ ଯୁଗର ଅନ୍ତ । କାହା ପାଇଁ ସେ ହି-ମ୍ୟାନ୍, ମେଗା ଷ୍ଟାର୍... ଆଉ କାହା ପାଇଁ ଏବେ ବି ଥିଲେ ଶୋଲେର ଭୀରୁ । ଯାହାଙ୍କ ପ୍ରତିଟି ଡାଇଲଗ୍ ଅଭୁଲା । ଯାହାଙ୍କ ପ୍ରତିଟି ଆକ୍ସନ୍ ଯୋଶିଲା, ଯିଏ ପରଦାକୁ ଆସିଲେ, ଦର୍ଶକଙ୍କ ସିଟିରେ ହଲ୍‌ ଫାଟି ପଡ଼ୁଥିଲା । ଆଜି ଚିର ନିଦ୍ରାରେ ସେଇ ଧରମ୍‌ ଜୀ । ୮୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଭେଟେରାନ୍ ବଲିଉଡ୍ ଅଭିନେତା 'ଧର୍ମେନ୍ଦ୍ର' । ଆଜି ଅପରାହ୍ଣରେ ଅଚାନକ୍ ସାମ୍ନାକୁ ଆସିଥିଲା ତାଙ୍କ ଦେହାନ୍ତ ଖବର । ପୂର୍ବ ଭଳି ଇଏ ବି ଏକ ଗୁଜବ ହୋଇଥାଉ ବି ପ୍ରାର୍ଥନା କରିଥିଲେ ଫ୍ୟାନ୍ । ହେଲେ ଇଏ ଆଉ ଗୁଜବ ନଥିଲା । ଅମିତାଭ ବଚ୍ଚନଙ୍କ ସମେତ ବହୁ ବଲିଉଡ୍ ତାରକା ତାଙ୍କ ଶେଷ ଦର୍ଶନ କରିବା ପରେ, ପତ୍ନୀ ହେମାମାଳିନୀ ଓ ସନ୍ତାନସନ୍ତତିଙ୍କ ଉପସ୍ଥିତିରେ, ମୁମ୍ୱାଇ ଜୁହୁ ସ୍ଥିତ ପୱନ ହଂସ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

ଅଧିକ ପଢ଼ନ୍ତୁ : ହି-ମ୍ୟାନ୍‌ଙ୍କ ସଂଘର୍ଷର କାହାଣୀ: ଗ୍ୟାରେଜ୍‌ରେ ଶୋଉଥିଲେ, ୨୦୦ଟଙ୍କାରେ ମାସେ ଚଳୁଥିଲେ

ପଞ୍ଜାବର ଏକ ଛୋଟ ଗାଁରୁ ଆସି ବଲିଉଡ୍‌ର ହି-ମ୍ୟାନ୍ ବନିଥିଲେ ଧର୍ମେନ୍ଦ୍ର । ସୁଠାମ ଶରୀର, ଗୁରୁ ଗମ୍ଭୀର ଡାଇଲଗ୍ । ଆକ୍ସନ୍, କମେଡି, ସବୁଥିରେ ନିଆରା ଛାପ । ହ୍ୟାଣ୍ଡସମ୍ ହଙ୍କ୍ ଭାବେ, ବଲିଉଡ୍ ସିନେମାକୁ ଦେଇଥିଲେ ନୂଆ ଏକ ଦିଗ । ୬ ଦଶନ୍ଧିରେ ୩ଶହରୁ ଅଧିକ ଫିଲ୍ମ । ୧୯୬୦ରେ 'ଦିଲ୍‌ ଭି ତେରା, ହମ୍‌ ଭି ତେରେ'ରୁ ଯାତ୍ରା ଆରମ୍ଭ ହୋଇ, ସରିଥିଲା ଆସନ୍ତା ମାସ ରିଲିଜ୍ ହେବାକୁ ଥିବା ଫିଲ୍ମ ଇକ୍କିସ୍‌ରେ । ରାଜନୀତିରେ ବି ଥିଲା ତାଙ୍କର ସଂକ୍ଷିପ୍ତ କ୍ୟାରିୟର । ୨୦୦୪ ରୁ ୨୦୦୯ ଯାଏଁ ବିକାନିରରୁ ବିଜେପି ସାଂସଦ ବନିଥିଲେ ଧର୍ମେନ୍ଦ୍ର । ହେଲେ ଅଭିନୟରେ ଲାଗିନଥିଲା ବ୍ରେକ୍ । ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ ଭାରତ ସରକାର ।

ତେବେ ଗତ କିଛି ବର୍ଷ ହେଲା ବାର୍ଦ୍ଧକ୍ୟ ସହ ବିଗିଡ଼ିଥିଲା ସ୍ୱାସ୍ଥ୍ୟ । ଗତ ନଭେମ୍ୱର ୧ରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ତଳେ ଡିସଚାର୍ଜ ହୋଇଥିଲେ । ଆଜି ତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe