ଇଞ୍ଜିନିୟରିଂ ଶିକ୍ଷା ପ୍ରତି ବିମୁଖ ଛାତ୍ରଛାତ୍ରୀ : ରାଜ୍ୟରେ ଖାଲି ପଡ଼ିଛି ୬୦%ରୁ ଅଧିକ ଇଞ୍ଜିନିୟରିଂ ସିଟ୍ 

431

କନକ ବ୍ୟୁରୋ : ସଙ୍କଟରେ ଇଞ୍ଜିନିୟରିଂ କଲେଜ । ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି । ଫଳରେ ରାଜ୍ୟରେ ଖାଲି ପଡ଼ିଛି ୬୦%ରୁ ଅଧିକ ଇଂଜିନିୟରିଂ ସିଟ୍  । ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ କେଉଁଠି ୨୦ ପ୍ରତିଶତ, କେଉଁଠି ୩୦ ପ୍ରତିଶତ ପିଲା ପାଠ ପଢ଼ୁଛନ୍ତି ।  ୨୦୧୯-୨୦ ଶିକ୍ଷା ବର୍ଷରେ ମାତ୍ର ୧୧୭୪୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି  । ଚଳିତ ବର୍ଷ ମୋଟ୍ ୩୧୧୭୪ଟି ସିଟରୁ ୧୯୪୨୯ଟି ସିଟି ଖାଲି ପଡ଼ିଛି । ଇଞ୍ଜିନିୟରମାନଙ୍କୁ ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନେଉନଥିବାରୁ ଇଞ୍ଜିନିୟରିଂ ଶିକ୍ଷାଠାରୁ ପିଲାମାନେ ଦୂରେଇ ଯାଉଛନ୍ତି ।

ଆଜି ବିଧାନସଭାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୯୩ଟି ଇଞ୍ଜିନିୟରିଂ କଲେଜ ଓ ୧୬୩ ଟି ଡିପ୍ଲୋମା କଲେଜ ରହିଛି  ।  ତିନୋଟି ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ଅନୁମତି ନିଆଯାଇଛି  । ଅନ୍ୟପଟେ ଉତ୍ତମ ପ୍ରଦର୍ଶନ କରୁନଥିବା ତଥା ରୁଗ୍ଣ ଅନଷ୍ଠାନକୁ ସହାୟତା କରିବା ପାଇଁ ସରକାର କୌଣସି ସାହାଯ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

ତେବେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସରକାରୀ ସହାୟତା ଦେବାସହ ପିଲାଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଫଳରେ ଚାକିରି ଅନ୍ୱେଷଣରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେବେନି ଶିକ୍ଷିତ ଯୁଗଗୋଷ୍ଠୀ  । ସରକାରଙ୍କ ଗୋଟିଏ ପଦକ୍ଷେପରେ ରାଜ୍ୟର ବିକାଶ ହୋଇପାରିବ ।