ପେସାରେ ଇଞ୍ଜିନିୟର କିନ୍ତୁ ନିଶା ଦୁର୍ଲଭ ସାମଗ୍ରୀକୁ ସାଇତିବା : ଖୋର୍ଦ୍ଧାର ଅକ୍ଷୟ ପଟ୍ଟନାୟକଙ୍କ ଅନନ୍ୟ କାହାଣୀ, ସାଇତି ରଖିଛନ୍ତି ୧୪ ହଜାରରୁ ଅଧିକ ପୁରୁଣା ଜିନିଷ

491

କନକ ବ୍ୟୁରୋ : ପେସାରେ ଇଞ୍ଜିନିୟର କିନ୍ତୁ ନିଶା ତାଙ୍କର ଦୁର୍ଲଭ ସାମଗ୍ରୀକୁ ସାଇତିବା । ଏମିତି ସାଇତି ସାଇତି ନିଜେ ଗଢି ତୋଳିଛନ୍ତି ବିରାଟ ସଂଗ୍ରହାଳୟ । ଏମିତି ଜଣେ ନିଆରା ମଣିଷ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଅକ୍ଷୟ ପଟ୍ଟନାୟକଙ୍କ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପିଣ୍ଡିକି ଶ୍ରୀଚନ୍ଦନ ସଂଗ୍ରହାଳୟ ହେଉଛି ଦାସିଆ ଅଜାଙ୍କ ନୂଆ ଗାଁ ସ୍ଥିତ ସଂଗ୍ରହାଳୟ ପରେ ଦ୍ୱିତୀୟ ବେସରକାରୀ ସଂଗ୍ରହାଳୟ ।

ପିଣ୍ଡିକି ଶ୍ରୀଚନ୍ଦନ ସଂଗ୍ରହାଳୟ । ଖୋର୍ଦ୍ଧାରୁ ନୟାଗଡ ଯିବା ରାସ୍ତାରେ ରହିଛି ଏହି ସଂଗ୍ରହାଳୟ । ଏଥିରେ ରହିଛି ୧୪ହଜାରରୁ ଅଧିକ ସାମଗ୍ରୀ । ଆଉ ଏସବୁ ସମ୍ଭବ ହୋଇଛି ଇଞ୍ଜିନିୟର ଅକ୍ଷୟ ପଟ୍ଟନାୟକଙ୍କ ଯୋଗୁଁ । ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ୬୦୦ରୁ ଅଧିକ ପ୍ରକାରର ରେଡିଓ । ଇଂଜିନିୟରିଂ ପାସ କରିବା ପରେ ଚାକିରି କରିବାକୁ ଇଚ୍ଛା ନଥିଲା । ଜନସେବାରେ ମନୋନିବେଶ କରି ବିଧାୟକ ପ୍ରାର୍ଥୀ ଭାବେ ବେଗୁନିଆରୁ ଲଢିଥିଲେ । ପରେ ମନବଳାଇଥିଲେ ସଂଗ୍ରହାଳୟ ପାଇଁ । ବିଭିନ୍ନ ସ୍ଥାନ ବୁଲି ଏହି ଦୁର୍ଲଭ ସାମଗ୍ରୀ ସଂଗ୍ରହ କରିଛନ୍ତି ଅକ୍ଷୟ ।

ଏହି ସଂଗ୍ରହାଳୟରେ ରହିଛି, ବିଭିନ୍ନ ପ୍ରକାରର ଘଂଟା, ବିଭିନ୍ନ ଦେଶର ଘଂଟା, ଇଂରେଜ ଅମଳର ଲାଇଟ, ଲଣ୍ଠନ, ଟ୍ରେନ ଲାଇଟ, ଜାପାନ, ଜର୍ମାନୀ, ଆମେରିକା, ଇଟାଲୀ,ବ୍ରିଟେନ ଆଦି ଦେଶ ଦ୍ୱାରା ବ୍ୟବହୃତ ସାମଗ୍ରୀ । ଏସବୁ ସାମଗ୍ରୀ ସାଇତିବା ପାଇଁ ବେଶ କଷ୍ଟ କରିଛନ୍ତି ଅକ୍ଷୟ । ହେଲେ କେବେ ବି ଥକି ପଡିନାହାନ୍ତି । ବିଭିନ୍ନ ମାଟିପାତ୍ର, ଡିଜେଲ ଚାଳିତ ଫ୍ରିଜ,ଚରଖା, ଅରଟ ଆଦି ସାମଗ୍ରୀରେ ଭରି ରହିଛି ସଂଗ୍ରହାଳୟ । ବିଡମ୍ବନାର ବିଷୟ ହେଲା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ସଂଗ୍ରହାଳୟ ଏବେ ବି ଭଡା ଘରେ ବିନା ବିଦ୍ୟୁତରେ ଚାଲିଛି । ତଥାପି ହାର ମାନିନାହାନ୍ତି ଅକ୍ଷୟ । ଦୁର୍ଲଭ ସାମଗ୍ରୀ ସାଇତିବାର ଏହି ସଂଘର୍ଷ ଏମିତି ଜାରି ରହିବ ବୋଲି କହିଛନ୍ତି ଅକ୍ଷୟ ।