ପରଲୋକରେ ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଥାକାର ମନୋଜ ପଣ୍ଡା । ବଲାଙ୍ଗିର ସ୍ଥିତ ବାସଭବନରେ ହୃଦଘାତ ରେ ମୃତ୍ୟୁ । ସାହିତ୍ୟିକ ମହଲରେ ଶୋକର ଛାୟା । ଟ୍ୱିଟ୍ କରି ଶୋକବାର୍ତ୍ତା ଜଣାଇଲେ ମୁଖ୍ୟମନ୍ତ୍ରୀ

271

କନକ ବ୍ୟୁରୋ : ବିଶିଷ୍ଟ କଥାକାର ମନୋଜ କୁମାର ପଣ୍ଡାଙ୍କ ଗତକାଲି ସଂଧ୍ୟାରେ ପରଲୋକ ଘଟିଛି । ବଲାଙ୍ଗିର ସାଗରପଡା ସ୍ଥିତ ବାସ ଭବନରେ ଥିବା ବେଳେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଶିକ୍ଷକତା କରିବା ସହ ସାହିତ୍ୟ ସାଧନରେ ବ୍ରତୀ ଥିଲେ ମନୋଜ । ତାଙ୍କର ହାଡ ବଗିଚା, ମାୟା ବଗିଚା, ବର୍ଣ୍ଣ ବଗିଚା ଚର୍ଚିତ ସୃଷ୍ଟି । ମାୟା ବଗିଚା ଗଳ୍ପ ସଂକଳନ ପାଇଁ ସେ ୨୦୧୫ ମସିହାରେ ସମ୍ମାନ ଜନକ ଶାରଳା ପରୁସ୍କାର ପାଇଥିଲେ ।

କେବଳ ରାଜ୍ୟ ନୁହେଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ନିଜ ସାହିତ୍ୟ କୃତି ପାଇ ମନୋଜ ପଣ୍ଡା ସମ୍ମାନୀତ ହୋଇଛନ୍ତି । ଏହାଛଡା ସେ ଅଖିଳ ମୋହନ ସାହିତ୍ୟ ସମ୍ମାନ, ଅଶୋକ ଚନ୍ଦନ ସାହିତ୍ୟ ସମ୍ମାନ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି । ତାଙ୍କର ଆକସ୍ମିକ ବିୟୋଗରେ ସମଗ୍ର ରାଜ୍ୟର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । କାଥାକାର ମନୋଜ ପଣ୍ଡାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶକରି ସାହିତ୍ୟଜଗତରେ ସେ ଛାଡିଯାଇଥିବା ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ଉଲ୍ଲେଖ କରିଛନ୍ତି ।