କନକ ବ୍ୟୁରୋ : ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ ଅଭିଯାନ । ଗତକାଲି ଲଙ୍ଗୁଳି ମଠ ଭାଙ୍ଗିବା ପରେ ଆଜି ଐତିହାସିକ ଏମାର ମଠର ପାଳି । ଏମାର ମଠ ସହ ଏହି କୋଠାରେ ଥିବା ଐତିହାସିକ ରଘୁନନ୍ଦନ ଲାଇବ୍ରେରୀ ଭାଙ୍ଗିବ । ଏହା ଏକାଧିକ ଦୋକାନ ଘରକୁ ମଧ୍ୟ ଭଙ୍ଗାଯିବ । ଏହା ପୂର୍ବରୁ ମଠ ମହନ୍ତ ଓ ଏଠାରେ ଖୋଲିଥିବା ଦୋକାନୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା ।
ତେଣୁ ଏମାର ମଠ ତଳେ ଥିବା ଦୋକାନ ଘର ସବୁ ଖାଲି ହୋଇଯାଇଛି । ବ୍ୟବସାୟୀମାନେ ସେମାନଙ୍କ ଆସବାବପତ୍ର ସବୁ ଗାଡି ଲଗାଇ ବୋହି ନେଇଛନ୍ତି । ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସ୍ପି ଓ ୩୦ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ମଠ ଓ ଦୋକାନ ଉଛେଦ କରାଯିବ । ମେଘନାଦ ପାଚେରୀ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏମାର ମଠକୁ ପୂର୍ବରୁ ଜିଲ୍ଲାପ୍ରଶାସନ ବିପଦସଂକୁଳ ଘୋଷଣା କରିଥିଲେ । ତେବେ ମଠ ପରିସରରେ ଥିବା ମନ୍ଦିର ଓ ପୂଜାପାଉଥିବା ଠାକୁରଙ୍କୁ ପୁର୍ବଭଳି ରଖାଯିବାକୁ ନିଷ୍ପତି ନିଆଯାଇଛି । ଏହାପରେ ବଡ ଆଖଡା ମଠ ଭଙ୍ଗାଯିବ ।
ସେଥିପାଇଁ ବଡ ଆଖଡା ମଠରେ ଥିବା ସିଂହଦ୍ୱାର ଥାନା ଜିନିଷ ପତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ସୁପ୍ରିମକୋର୍ଟରେ ଖାରଜ ହୋଇଛି ଶ୍ରୀମନ୍ଦିର ମାମଲା । ଶ୍ରୀମନ୍ଦିର ଚାରିକଡ଼ରେ ଉଚ୍ଛେଦ କାମ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ ହୋଇଥିଲା । ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଏହି ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିବା ସହ ଉଛେଦ କାମ ଜାରି ରହିବ ବୋଲି କହିଛନ୍ତି ।
ସେପଟେ ଶହେତମ ପ୍ରତିଷ୍ଠା ଦିବସ ପାଳିବା ପୂର୍ବରୁ ଇତିହାସ ପାଲଟିବ ରଘୁନନ୍ଦନ ଲାଇବ୍ରେରୀ । ବହୁ ପୁରାତନ ଐତିହ୍ୟ ମଠ ଏମାରମଠ ଧରାଶାୟୀ ହେବା ସହ ଇତିହାସ ପାଲଟିଯିବ ଏହି ମଠ ପରିସରରେ ଥିବା ରଘୁନନ୍ଦନ ପାଠାଗାର । ଏହି ଲାଇବ୍ରେରୀରେ ଜଗନ୍ନାଥ ସଂସ୍କୃତି ସହ ବହୁ ପୁସ୍ତକ ଓ ତାଳପତ୍ର ପୋଥି ରହିଛି । ଏହା ସହ ବହୁ ହିନ୍ଦୀ, ଇଂଲିଶ, ସଂସ୍କୃତି ଓ ଓଡିଆ ଭାଷାର ବହୁ ଦୁର୍ମୁଲ୍ୟ ପୁସ୍ତକ ରହିଛି । କିନ୍ତୁ ଏହାକୁ ଭାଙ୍ଗିବା ପରେ ଏହା ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ଏହାକୁ ସ୍ଥାନାନ୍ତର କରିବାକୁ ନୋଟିସ ହୋଇଥିଲେ ବି ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଫଳରେ ୧୯୨୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରାଚୀନ ଗ୍ରନ୍ଥାଗାରର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ।
ଅନ୍ୟପଟେ ଉଛେଦ ଯୋଗୁଁ କ୍ଷତିଗ୍ରସ୍ତଙ୍କୁ କିଭଳି ଥଇଥାନ କରାଯିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପା । କହିଛନ୍ତି ଶ୍ରୀମନ୍ଦିରଠାରୁ ୭୫ ମିଟର ଭିତରେ ଯେଉଁମାନେ ବାସହରା ହେଉଛନ୍ତି ବା ବ୍ୟବସହାୟ ହରାଉଛନ୍ତିି ସେମାନଙ୍କ ପାଇଁ ଜରୁରୀକାଳିନ ଭିତିରେ ଥଇଥାନ ବ୍ୟବସ୍ଥା କରାଯିବ । ବିଶେଷକରି ଯେଉଁମାନେ ଘର ହରାଉଛନ୍ତି ସେମାନଙ୍କ ପାଇଁ ଏକାଧିକ ବିକଳ୍ପ ବ୍ୟବସ୍ଥା ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତିି । ତେବେ ଉଛେଦ ଲୋକ ଚାହିଁଲେ ପ୍ରଶାସନ ସେମାନଙ୍କୁ ଜାଗା ସହ ଘର ତିଆରି କରି ଥଇଥାନ କରିବ । ନଚେତ ସେମାନେ ଚାହିଁଲେ ଉଭୟ ଜାଗା ଓ ଘର ଉଛେଦ ବାବଦ ଟଙ୍କା ପ୍ରଶାସନଠାରୁ ଗ୍ରହଣ କରି ନିଜ ଇଛା ମୁତାବକ ଘର ଓ ଜାଗା ତିଆରି କରିପାରିବେ ।
ସେହିପରି ଦୋକାନ ହରାଉଥିବା ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହାବାଦ ୭୫ ମିଟର ପରେ ଯେଉଁ ମଠମାନଙ୍କର ଜାଗା ରହିଛି ସେମାନେ ସେମାନଙ୍କ ଜାଗାରେ ରହିବେ । କିନ୍ତୁ ଯେଉଁ ମଠ ସମ୍ପୂର୍ଣ୍ଣ ଜାଗା ହରାଇବ ସେମାନଙ୍କୁ ଶ୍ରୀମନ୍ଦିର ଜମିରେ ଥଇଥାନ କରାଯିବ । ଏନେଇ ଜିଲାପ୍ରଶାସନ ପକ୍ଷରୁ ସର୍ଭେ କରାଯିବ । ୭୫ ମିଟର ପରେ କେଉଁ କେଉଁ ଜାଗାରେ ଶ୍ରୀମନ୍ଦିରର ଜମି ରହିଛି, ତାହା ଚିହ୍ନଟ କରାଯିବ । ସେହିପରି ଶ୍ରୀମନ୍ଦିର ସହ ସରକାରୀ ଓ ବ୍ୟକ୍ତିଗତ ଜାଗା କେତେ ରହିଛି ତାକୁ ଚିହ୍ନଟ କରାଯିବ । ପ୍ରାଥମିକ ଆକଳନ ଅନୁଯାୟୀ ୧୭୦ ଘର ଓ ୫୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଆସୁଥିବା ଜଣାପଡିଛି ।