କନକ ବ୍ୟୁରୋ : କେନ୍ଦୁଝରରେ ଜଙ୍ଗଲୀ ହାତୀ ଆତଙ୍କ । ଜମିରିଡିହ ଗାଁରେ ମାତିଛି ଦଳ ଛଡା ଜଙ୍ଗଲୀ ହାତୀ । ଗତ କିଛି ଦିନ ହେଲା ଏକଲା ଦନ୍ତା ହାତୀ ଅଂଚଳରେ ଉତ୍ପାତ କରୁଛି । ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ଜମିରିଡିହ ଗାଁର ସ୍କୁଲ ଘର ମଧ୍ୟ ଭାଙ୍ଗି ଦେଇଛି । ଖାଲି ସେତିକି ନୁହେଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ ବି ଖାଇ ଯାଇଛି । ହାତୀଟି ଦିନସାରା ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହୋଇ ଉତ୍ପାତ କରୁଥବାରୁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି । କିଛି ଦିନ ପୂର୍ବେ ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ହେଲେ ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।
ଏହାସହ କେନ୍ଦୁଝର ଚମ୍ପୁଆ ରେଂଜ ଅଂଚଳରେ ଜଙ୍ଗଲୀ ହାତୀ ଆତଙ୍କ । ୧୮ ଦଳିଆ ହାତୀ ପଲ ପଦ୍ମପୁର ଗାଁକୁ ପଶିଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଅମଳ ପାଇଁ କଟା ହୋଇଥିବା ଧାନ ବିଡାକୁ ଖାଇ ଦେବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି ହାତୀ ପଲ । ହାତୀ ପଲ ଜନ ବସତି ଆଡକୁ ପଶି ଆସିଥିବାରୁ ଲୋକେ ଭୟରେ ଘରୁ ବାହାରୁନାହାନ୍ତି । ବନବିଭାଗ ତରଫରୁ ହାତୀପଲକୁ ଘୋଇଡାଇବା କାର୍ଯ୍ୟ ଜାରି ରହିଛି ।