କଣ୍ଟ ପୁରିଛି,ବାତ୍ୟାର ୨୦ଦିନ ପରେ ବି ପୁରୀବାସୀଙ୍କ ଦୁଃଖ ଯାଇନି, ସହରରରେ ସବୁଆଡ଼କୁ ହୋଇପାରିନି ବିଦ୍ୟୁତ୍ ସଂଯୋଗ

148

କନକ ବ୍ୟୁରୋ : ଚଳିତ ମେ ୩ ତାରିଖ ପ୍ରଳୟଙ୍କରୀ ଫୋନି ବାତ୍ୟାର ୨୦ ଦିନ ପରେ ବି ବିଶ୍ବ ପର୍ଯ୍ୟଟନ ସହର ‘ପୁରୀଧାମ’ର ଦୁଃଖ ଯାଇନି । ବାତ୍ୟାର ତିନି ସପ୍ତାହ ପରେ ସହରରରେ ସବୁଆଡେ ଆଲୁଅ ଜଳି ନାହିଁ । କେବଳ ବଡଦାଣ୍ଡ ଓ ଏହାର ସଂଲଗ୍ନ କିଛି ହାତଗଣତି ସାହିକୁ ବିଦ୍ୟୁତ ସଂଯୋଗ ଦେଇ ଦେଇ ପୁରୀ ବିଦ୍ୟୁତ୍ ଡିଭିଜିନ ପ୍ରଶଂସା ଗୋଟାଇବାକୁ ଉଦ୍ୟମ କରୁଛି । ପୁରୀ ବଡଦାଣ୍ଡ ଓ ସହରର ୧୦ଟି ସାହିକୁ ବିଦ୍ୟୁତ୍ ସଂଯୋଗ ସରିଛି । ସହରର ପ୍ରମୁଖ ସ୍ଥାନ ଭିଆଇପି ‌ରୋଡ. ଚକ୍ରତୀର୍ଥ ଓ ଦିଗବାରେଣୀରୁ ଷ୍ଟଲିଂ ବେଳାମାର୍ଗ ଓ ପ୍ରବେଶ ପଥ ଅଠରନଳା ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି ।

ମେ ମାସ ତାତିରେ ଆଉଟ ପାଉଟ ହେଉଥିବା ସହର ଲୋକେଙ୍କ ପକ୍ଷରେ ବିଦ୍ୟୁତ୍ ଯନ୍ତ୍ରଣା ସହିବାର ସୀମା ଟପିଲାଣି । ରାଜଧାନୀରେ ୭ ଦିନରେ ବିଦ୍ୟୁତ୍ ସେବା ସ୍ବଭାବିକ ହୋଇଥିବା ବେଳେ ପୁରୀ ସହରର ଭଳି ଅନ୍ତର୍ଜାତୀୟ ପର୍ଯ୍ୟଟନ ସହରକୁ ଏ କ୍ଷେତ୍ର‌ରେ ଆବଶ୍ୟକ ଗୁରୁତ୍ବ ଦିଆଯାଉନଥିବାରୁ ଏବେ ସହରରୁ ଗ୍ରାମାଞ୍ଚଳ ସବୁଆଡେ ପ୍ରଶାସନ ପ୍ରତି ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ମେ ୧୫ ତାରିଖ ସୁଦ୍ଧା ପୁରୀ ସହରକୁ ଆଲୁଅ ଦେବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ଏ ଦିଗରେ ବିଫଳ ହୋଇଛି ।

ପୁରୀ ସହରାଞ୍ଚଳରେ ମାତ୍ର ୪୦ ପ୍ରତିଶତ ଅଞ୍ଚଳକୁ ସେବା ମିଳିନଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏ ବର୍ଷ ରଜ ପୂର୍ବରୁ ଆଲୁଅ ଆସିବ କି ନାହିଁ ସେ ନେଇ ସନ୍ଦେହରେ ରହିଛନ୍ତି । ଗ୍ରାମାଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ବୁଝିବାକୁ ପ୍ରଶାସନ ଏ ଯାଏ ଉଦ୍ୟମ କରିନାହିଁ। ଏବେ ବିଦ୍ୟୁତ ଦୁଃଖକୁ ନେଇ ପ୍ରଶାସନ ଓ ସରକାର ଲୋକଙ୍କ ଆକ୍ରୋ‌ର ଶିକାର ହେବାର ସମ୍ଭାବନା ଦେଖାଦେଇଛି। ସହରଠୁ ଗାଁ ଏବେ ଏହାକୁ ନେଇ ଅସନ୍ତୋଷ ବଢିବ‌ାରେ ଲାଗିଛି । ସରକାର ଏହାକୁ ଗମ୍ଭୀରତ‌ାର ସହ ନ ନେଲେ ବିସ୍ପୋରକ ସ୍ଥିତି ଉପୁଜିବ ବୋଲି କୁହାଯାଉଛି ।

ପ୍ରକାଶ ଯେ, ସର୍ବାଧିକ ବିଦ୍ୟୁତ ଭିତ୍ତିଭୂମି କ୍ଷତି ହୋଇଥିବା ପୁରୀ ସହରରେ ବିଦ୍ୟୁତ ‌‌ସେବା ସ୍ବଭାବିକ ହୋଇପାରୁନାହିଁ । ୨୧ ତାରିଖ ସୁଦ୍ଧ‌ା ମାତ୍ର ସହରର ୪୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ଏବେ ବି ସହରର ୬୦ ପ୍ରତିଶତ ଅଞ୍ଚଳ ବିଦ୍ୟୁତ୍ ସେବାରୁ ବଂଚିତ ରହିଛନ୍ତି । ସହରେ ମନ୍ଥର କାମ ଲୋକଙ୍କୁ ଚିନ୍ତାରେ ପକାଇଛି । ଯେଉଁଭଳି ଢଙ୍ଗରେ ମରାମତି କାମ ଚାଲିଛି ରଜ ପୂର୍ବରୁ ମରାମତି ସରିବ କି ନାହିଁ ସେ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ପୁରୀ ଜିଲ୍ଲାର ନିମାପଡା ଡିଭିଜନରେ କାମ ତ୍ବରାନିତ୍ବ ଚାଲିଥିବା ବେଳେ ପୁରୀ ଡିଭିଜନ୍ ଏ ଦିଗରେ ସଂପୂର୍ଣ୍ଣ ବିଫଳ ରହିଥିବା ଅଭିଯୋଗ ହୋଇଛି ।

ପୁରୀ ଡିଜିଜନ ଅଧୀନରେ ଥିବା ପୁରୀ ସଦର ବ୍ଲକ୍, ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକ୍ ସାତପଡା ଅଞ୍ଚଳ, କଣାସ ଓ ଡେଲାଙ୍ଗ ବ୍ଲକରେ କାମ ମନ୍ଥର ଗତିରେ ଚାଲିଛି। ଏ ଯାଏ ଖୁଣ୍ଟ ପକା (ପୋତା କାମ) ଅଧା ହୋଇନାହିଁ । କିଛି ଅଞ୍ଚଳରେ କ୍ଷୟକ୍ଷତି ଆକଳନ ମଧ୍ୟ କରାଯାଇନାହିଁ। ଏଭଳି କାମ ଚାଲୁ ରହିଲେ ପୁରୀ ଜିଲ୍ଲାରେ ସଂପୂର୍ଣ୍ଣ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ତିନି ମାସ ଲାଗିଯିବ । ଏ ସଂପର୍କ‌ରେ ପୁରୀ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁଙ୍କୁ ପଚାରିବାରେ କାମ ଚାଲିଛି । ପୁରୀ ବଡଦାଣ୍ଡ ପରେ ଆଜି ଜେଲରୋଡ, ହେରାଗୌରୀ ସାହି, ଦରଜିପୋଖରୀ ଅଞ୍ଚଳକୁ ବିଦ୍ୟୁତ୍ ଚାର୍ଜ ଦିଆଯାଇଛି ।

ଏଥିପାଇଁ ସେସୁ ପକ୍ଷରୁ ୧୩୦୦ ଶ୍ରମିକ ଓ ଫେଡକୋର ୭୦୦ ଶ୍ରମିକ ମୋଟ ୨ ହଜାର ଲୋକ ଶ୍ରମିକ କାମ କରୁଛନ୍ତି । ପ୍ରତି ୧୦ ଜଣ ଲୋକଙ୍କୁ ନେଇ ଗୋଟେ ଟିମ୍ ଗଠନ କରାଯାଇଛି । ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ସଂଯୋଗ ଦିଆଯାଉଛି, ପ୍ରଥମେ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ କାମ ସରିବା ପରେ ଗ୍ରାମାଞ୍ଚଳ କଥା ଚିନ୍ତା କରାଯିବ ବୋଲି କହିଛନ୍ତି । ତେବେ କାମ‌ରେ ନିୟୋଜିତ ଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ନିଜ ଅଞ୍ଚ‌ଳରେ କାମ ସାରିବାକୁ ପ୍ରତିଯୋଗିତା ଚାଲିଛି । ଯିଏ ଅଧିକ ଟଙ୍କା ଦେଉଛି ସେ ସାହିର କାମ ପ୍ରାଥମିକତା ଦିଆଯାଉଛି । ଏଭଳି ସ୍ଥିତିକୁ ନେଇ ମଧ୍ୟ ସାହିସାହିରେ ଅସନ୍ତୋଷ ଦେଖାଦେଇଛି ।