ଫୋନି ତାଣ୍ଡବର ୧୨ ଦିନ ପରେ ପୁରୀରେ ଆରମ୍ଭ ହେଲା ବିଦ୍ୟୁତ ସେବା : ପ୍ରଥମେ ଆଲୋକିତ ହେଲା ଶ୍ରୀମନ୍ଦିର, ସେସୁ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା

163

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ବିଦ୍ୟୁତ ସେବା । ସାମୁଦ୍ରିକ ଝଡ଼ ‘ଫନି’ର ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବାତ୍ୟାରେ ଉପକୂଳ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ସହିତ ପୁରୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟାର କରାଳ ରୂପରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରୁ ଶ୍ରୀମନ୍ଦିର ମଧ୍ୟ ବାଦ୍ ପଡ଼ି ନଥିଲା ।

ଆଧ୍ୟାତ୍ମିକ ସହର ପୁରୀ ସଂପୂର୍ଣ୍ଣ ରୂପେ ବିଦ୍ୟୁତ୍ ସଂଯୋଗରୁ ବିଚ୍ଛିନ୍ନ ହେବା ପରେ ଆଜି ପ୍ରଥମେ ଶ୍ରୀମନ୍ଦିରକୁ ପୁଣି ଥରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ କରାଯିବା ପରେ ଧୀରେ ଧୀରେ ସହରର ଅନ୍ୟ ସ୍ଥାନକୁ ବିଦ୍ୟୁତ ସଂଯୋଗ କରାଯିବ । ଶ୍ରୀମନ୍ଦିରକୁ ବିଦ୍ୟୁତ୍ ସଂଯୋଗୀକରଣ କରିବାରେ ମନ୍ଦିର ପ୍ରଶାସନ ମଧ୍ୟ ସହଯୋଗ କରିଛି । ମନ୍ଦିରରେ ବିଦ୍ୟୁତ ସଂଯୋଗ ନଥିବାରୁ ମୁଖ୍ୟତଃ ସେବାୟତ ଏବଂ ଭକ୍ତଙ୍କୁ ବହୁ ଅସୁବିଧା ହେଉଥିଲା ।

ଶ୍ରୀମନ୍ଦିରକୁ ବିଦ୍ୟୁତ୍ ସଂଯୋଗ ହେବା ପରେ ପ୍ରଶାସନ, ସେବାୟତ ଓ ଭକ୍ତ ସମସ୍ତେ ଖୁସି ଅନୁଭବ କରିଛନ୍ତି । ସୂଚନାଯୋଗ୍ୟ ଚଳିତ ମାସ ୩ ତାରିଖରେ ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶାର ବିଦ୍ୟୁତ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରଭାବିତ ହୋଇଥିଲା । ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ସବୁଠାରୁ ଅଧିକ କ୍ଷତି ହୋଇଥିଲା ।