କନକ ବ୍ୟୁରୋ : ମଧ୍ୟରାତି ପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ଥିଲା । ଲୋକେ ଖାଇ ପିଇ ଶୋଇଥିଲେ। ତଥାକଥିତ ପାଣିପାଗ ବିଶେଷଜ୍ଞମାନେ କେହି କିଛି ନିର୍ଦିଷ୍ଟ ଭାବେ ପୂର୍ବାନୁମାନ କରିନଥିଲେ। ହଠାତ୍ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ପ୍ରାୟ ତିନି ଘଣ୍ଟା ଧରି ହୋଇଥିବା ଏହି କାଳବୈଶାଖୀ ଭୁବନେଶ୍ବରବାସୀଙ୍କ ନିଦ ଭାଙ୍ଗି ଦେଇଥିଲା । ପ୍ରବଳ ବର୍ଷା ହେବାରୁ କାହା ଘରେ ପାଣି ପଶିଥିଲା ତ ଆଉ କାହା ଘର ଉପରେ ଗଛ ଭାଙ୍ଗି ପଡ଼ିଥିଲା ।
![publive-image publive-image]()
କାଳବୈଶାଖୀରେ ସେଭଳି ବଡ଼ଧରଣର କ୍ଷତି ହୋଇ ନ ଥିଲେ ମଧ୍ୟ ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିଛି । କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଖୋର୍ଧା ଜିଲ୍ଲାର ବାଲିପାଟଣା, ବାଲିଅନ୍ତା ଅଞ୍ଚଳରେ ପାନ ଓ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀଙ୍କ ପାନ ବରଜ ଓ ଭାଙ୍ଗିବା ସହ କୁକୁଡ଼ା ଫାର୍ମ ମାଟିରେ ଲୋଟିଛି। ଶତାଧିକ କୁକୁଡ଼ା ମରିଥିବା ବି ସୂଚନା ମିଳିଛି । ୩ଘଣ୍ଟା ଧରି ବର୍ଷା ଲାଗି ରହିବା ଦ୍ବାରା ରାଜଧାନୀର ଅନେକ ଅଞ୍ଚଳରେ ପାଣି ଲହଡ଼ି ମାରିଥିଲା ।
ସହରର ଅନେକ ସ୍ଥାନରେ ନାଳ କାମ ସରି ନଥିବାରୁ ସକାଳୁ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ସେହିପରି ପ୍ରବଳ ପବନରେ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର, ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ଆଜି ମଧ୍ୟାହ୍ନ ପର୍ୟ୍ୟନ୍ତ କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇ ନ ଥିବା ସୂଚନା ମିଳିଛି ।
![publive-image publive-image]()