କନକ ବ୍ୟୁରୋ: ଭୋଟ ଦେଉଛି ନୂଆପଡ଼ା । ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସରିଛି ସବୁ ପ୍ରସ୍ତୁତି । କଡ଼ା ସୁରକ୍ଷା ଭିତରେ ବୁଥ୍‌କୁ ଯାଇଛି ଇଭିଏମ୍ । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।  

Advertisment

ନୂଆପଡ଼ା ଉପନିର୍ବାଚନ, ମୁଖ୍ୟମନ୍ତ୍ରୀ କରିବେ ହାଇଭୋଲଟେଜ୍ କ୍ୟାମ୍ପେନ

ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ବରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଇଭିଏମ୍ ମେସିନକୁ ଯାଞ୍ଚ କରାଯାଇଛି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ ବୁଥ୍‌ ପ୍ରସ୍ତୁତ ହୋଇଛି । ୪୭ଟି ସମ୍ବେଦନଶୀଳ ବୁଥ୍‌, ଓ ୮ଟି ଅତିସମ୍ବେଦନଶୀଳ ବୁଥ୍ ମାଓ ଅଞ୍ଚଳରେ ରହିଛି । ସେହିପରି ୬ଟି ସଖି ବୁଥ୍‌ର ବ୍ୟବସ୍ଥା କରାଯାଇଛି । ନୂଆପଡ଼ାରେ ୪୭ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ସେହିପରି ନୂଆପଡ଼ାରେ ଅନ୍ୟ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ ।

ସେପଟେ, ଭୋଟ ଦେବାକୁ ସକାଳୁ ସକାଳୁ ଭୋଟ କେନ୍ଦ୍ରରେ ଭୋଟର ପହଞ୍ଚୁଛନ୍ତି । ଧାଡ଼ିରେ ଛିଡ଼ା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ୍‌ ଦେଉଛନ୍ତି । ନୂଆପଡ଼ାରେ ଯୁବ ଭୋଟରଙ୍କ ଉପରେ ନଜର ରହିଛି । ସବୁ ଦଳ ନୂଆପଡ଼ା ଯୁବଭୋଟରଙ୍କୁ ହାତେଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଯୁବ ଭୋଟର କାହାକୁ ତାଙ୍କ ନେତା ବାଛିବେ ତାହା ଫଳାଫଳ ଦିନ ହିଁ ଜଣାପଡ଼ିବ ।