କନକ ବ୍ୟୁରୋ : ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି । 

Advertisment

Bihar Election : ବିହାରରେ ଭୋଟ୍ ଚାଲିଛି, ହଠାତ୍ ଜେଡିୟୁ ଅଫିସରେ ପହଞ୍ଚିଲେ ନୀତିଶ

ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି । 

ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ଏନଡିଏକୁ ୧୨୧ରୁ ୧୪୧ ଆସନ, ମହାଗଠବନ୍ଧନକୁ ୯୮-୧୧୮, ଜନ ସୁରାଜକୁ ୦-୨ଟି ଆସନ ଓ ଅନ୍ୟାନ୍ୟ ୧ରୁ ୭ଟି ଆସନ ମିଳିବ । ତେବେ ଆରଜେଡି ପାଇଁ ମଧ୍ୟ ରହିଛି ଖୁସି ଖବର। ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ବିହାରର ସବୁଠୁ ବଡ଼ ଦଳ ଭାବେ ଆରଜେଡି ଉଭା ହେବ । ଆରଜେଡିକୁ ୬୭ରୁ ୭୧ ଆସନ, ଜେଡିୟୁ- ୫୬ରୁ ୬୨ ଆସନ, ବିଜେପି ୫୦ରୁ ୫୬ ଆସନ, କଂଗ୍ରେସ-୧୭ରୁ ୨୧ ଆସନ, ଲୋକ ଜନଶକ୍ତି ପାର୍ଟି- ୧୧ରୁ ୧୬ ଆସନ, ହମ - ୨ରୁ ୩ଟି ଆସନ, ଆରଏଲଏମ- ୨ରୁ ୪ଟି ଆସନ ଓ ଜନ ସୁରାଜକୁ ୦ରୁ ୨ଟି ବିଧାନସଭା ଆସନ  ମିଳିବ ବୋଲି ଆକଳନ କରାଯାଇଛି ।