ଭୋଟ ଗଣତି ପୂର୍ବରୁ ରଣନୀତି : ସହଯୋଗୀଙ୍କ ସହ ମାରାଥନ୍ ବୈଠକ କରୁଛନ୍ତି ବିଜେପି ଓ ବିରୋଧୀ, ସରକାର ଗଢ଼ିବା ପାଇଁ ଚାଲିଛି ଯୋଡ଼ାଯୋଡ଼ି ରାଜନୀତି

94

କନକ ବ୍ୟୁରୋ : ଭୋଟଗଣତି ପୂର୍ବରୁ ରଣନୀତି । ଉଭୟ ବିଜେପି ଓ ବିରୋଧୀ ସରକାର ଗଢ଼ିବା ପାଇଁ ପୁରା ଦମ୍ ଲଗାଇଦେଇଛନ୍ତି । ମହାଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ଚାଲିଛି କସରତ୍ । ୨୦୧୯ରେ କିଏ ଗଢ଼ିବ ସରକାର ? କାହାକୁ ବାଛିଛନ୍ତି ଭୋଟର ? ଗଣତି ପୂର୍ବରୁ ଗୋଟିଏ ପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦୁଇଟି ବୈଠକ ଡାକି ସହଯୋଗୀ ଦଳ ସହ ଆଲୋଚନା କରିଛନ୍ତି ଅନ୍ୟପଟେ ୨୨ ବିରୋଧୀ ଦଳ ନେତା ମଧ୍ୟ ଆଗାମୀ ରାଜନୈତିକ ରଣନୀତି ଉପରେ ଆଲୋଚନା କରିଛନ୍ତି ବିରୋଧୀ ।

ଏହିକ୍ରମରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଗତକାଲି ହୋଇଥିବା ବୈଠକରେ ୩୬ଟି ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେତୃତ୍ୱକୁ ପ୍ରଶଂସା କରି ତାଙ୍କ ସମ୍ମାନାର୍ଥେ ଏକ ପ୍ରସ୍ତାବ ପାସ ହୋଇଛି । ଏହା ପରେ ଅମିତ୍ ଶାହାଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ସମସ୍ତ ନେତା ଯୋଗ ଦେଇଥିଲେ । ଏହି ଅବସରରେ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ଏହା ପୂର୍ବରୁ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏକଜିଟ ପୋଲରେ ବିରୋଧୀଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଛି । ଆଉ ଏହି କ୍ରମରେ ବି ବିରୋଧୀ ନେତାମାନେ ନୂଆ ରଣନୀତି ଉପରେ ଆଲୋଚନା କରିଛନ୍ତି । ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରିବା ସହ ନିରନ୍ତର ସମ୍ପର୍କରେ ରହିବା ନେଇ ସହମତି ଜଣାଇଛନ୍ତି ବିରୋଧୀ ଦଳ । ବିରୋଧୀ ନେତାଙ୍କ ବୈଠକରେ କଂଗ୍ରେସ ନେତା ଅହମଦ ପଟେଲ,ଅଶୋକ ଗହଲୋଟ୍, ଗୁଲାମନବୀ ଆଜାଦ, ମାକପା ନେତା ସୀତାରାମ ୟେଚୁରୀ, ଟିଏମସି ନେତା ଡେରକ୍ ଓବ୍ରାୟନ୍, ଟିଡ଼ିପି ନେତା ଚନ୍ଦ୍ରବାବୁ ନାଇଡ଼ୁ, ଆପ୍ ନେତା ଅରବିନ୍ଦ କେଜ୍ରିୱାଲ, ସପା ନେତା ରାମଗୋପାଲ ଯାଦବ, ବସପା ନେତା ସତୀଶ ଚନ୍ଦ୍ର ଆଦି ଯୋଗଦେଇଥିଲେ ।

ସେପଟେ ନିର୍ବାଚନ ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ଦିଲ୍ଲୀରେ ଗତକାଲି କଂଗ୍ରେସ, ଏସପି, ବିଏସପି ଏବଂ ଟିଡିପି ସମେତ ୨୨ଟି ରାଜନୈତିକ ଦଳ ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଗଣତି ସମୟରେ ଭିଭିପାଟ୍ ସ୍ଲିପ୍କୁ ଶତପ୍ରତିଶତ ଇଭିଏମ୍ ସହିତ ମେଳ ଖୁଆଇବାକୁ ଦାବି କରିଥିଲେ ବିରୋଧୀ । ଗଣତି ବେଳେ କୌଣସି ବି ପୁଲିଂ ବୁଥର ଇଭିଏମ ଓ ଏହାର ଭିଭିପାଟ୍କୁ ମେଳ ଖୁଆଇବାକୁ ବିରୋଧୀ ଦାବି କରିଛନ୍ତି । ଏତିକି ବେଳେ ଯଦି କୌଣସି ବି ତ୍ରୁଟି ଦେଖାଗଲା ତେବେ ସେହି ନିର୍ବାଚମଣ୍ଡଳିର ସମସ୍ତ ଇଭିଏମକୁ ଭିଭିପାଟ୍ ସହିତ ମେଳ ଖୁଆଇବାକୁ ଏକାଠି ଦାବି କରିଛନ୍ତି ବିରୋଧୀ ।