ହାଟରେ ଚାଲିଛି ନିର୍ବାଚନୀ ପ୍ରଚାର ! କୋରାପୁଟର କାଶୀପୁର ହାଟରେ କ୍ୟାମ୍ପେନିଂ କରୁଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ

ପ୍ରଚାର ମୈଦାନରେ ପ୍ରାର୍ଥୀ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କସରତ୍ ଚାଲିଛି

139

କନକ ବ୍ୟୁରୋ : ପ୍ରଚାର ମୈଦାନରେ ପ୍ରାର୍ଥୀ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କସରତ୍ ଚାଲିଛି । ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଏବେ ଜୋର ଧରିଛି । ଯେମିତି ବି ହେଉ ଜନତାଙ୍କ ପାଖରେ ପହଂଚିବାକୁ ପ୍ରୟାସ । ହାତ ଯୋଡି ଜନତାଙ୍କ ଶରଣରେ ନେତା । ୨୦୧୯ ପାଇଁ କୌଣସି ମଉକାକୁ ହାତଛଡା କରିବାକୁ ଚାହୁନାହାନ୍ତି ନେତା । ତେଣୁ ଗଳିକନ୍ଦିରେ ପହଂଚି ଭୋଟ ହାତେଇବାକୁ କରୁଛନ୍ତି ଜୋରଦାର ଉଦ୍ୟମ । ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଛାତିରେ ସେତିକି ଛନକା ପଶୁଛି । କଳେ ବଳେ କୌଶଳେ ଜନତାଙ୍କ ପାଖରେ ପହଂଚିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ନେତା ।

ହାଟରେ ଜମୁଛି ପ୍ରଚାର । କାଶୀପୁର ହାଟରେ ପ୍ରଚାର କରିଛନ୍ତି କୋରାପୁଟର ଲୋକସଭା ପ୍ରାର୍ଥୀ । ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସ ପ୍ରାର୍ଥୀ ସପ୍ତଗିରୀ ଉଲାକା କାଶୀପୁର ହାଟକୁ ଆସି ନିର୍ବାଚନୀ ପ୍ରଚାର କରିବା ସହ ଭୋଟରଙ୍କୁ ହାତେଇବାକୁ ଉଦ୍ୟମ କରିଛନ୍ତି । ରାୟଗଡା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଆପୋଲୋ ସ୍ୱାମୀ କାଡ୍ରାକା, ସ୍ୱାଧୀନ ଭାବେ ଳଢୁଥିବା ବିଧାୟକ ପ୍ରାର୍ଥୀ ମକରନ୍ଦ ମୁଦୁଲି ଓ ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ହାଟରେ ଭୋଟ ପ୍ରଚାର କରିବାକୁ ମିଳିଛି । ଭୋଜିଭାତ, ନାଚ ଗୀତ ମାଧ୍ୟମରେ ମଧ୍ୟ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ ।