ନିର୍ବାଚନ ପାଇଁ ଜୋରଧରିଲା ପ୍ରଚାର ! ଗାଁ ଗାଁ ବୁଲି କ୍ୟାମ୍ପେନିଂ କରୁଛନ୍ତି ନେତା

140

କନକ ବ୍ୟୁରୋ :  ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ନେତା । ବ୍ରହ୍ମପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ପଣ୍ଡା ଶୋଭାଯାତ୍ରାରେ ଆସି କ୍ୟାମ୍ପେନିଂ କରିଛନ୍ତି । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧ ନମ୍ବର ୱାର୍ଡରକୁ ଆଜି ବିକ୍ରମ ପଣ୍ଡା ଶୋଭାଯାତ୍ରାରେ ଯାଇ ଭୋଟ ମାଗିଛନ୍ତି । ତାଙ୍କ ସହିତ ବ୍ରହ୍ମପୁର ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଓ ବିଜେଡିର ସଭାନେତ୍ରୀ ସଂଘମିତ୍ରା ଦଳେଇ ପ୍ରଚାର କରିଛନ୍ତି । ବ୍ରହ୍ମପୁର ବିକାଶ ହୋଇଛି, ଯାହା ଅଧୁରା କାମ ରହିଛି ଆଗାମୀ ଦିନରେ ସେସବୁ ପୂରଣ କରାଯିବ ବୋଲି ବିକ୍ରମ ପଣ୍ଡା କହିଛନ୍ତି ।

ଆସନ୍ତା ୧୧ରେ ନବରଙ୍ଗପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଝରିଗାଁ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଝରି ଗାଁ ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ ଓ କଂଗ୍ରେସ ସମର୍ଥକଙ୍କ ଗ୍ରହଣରେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ଜିଲ୍ଳାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ଏଠାରେ ଚାଷୀମାନଙ୍କ କୌଣସି ଉନ୍ନତି ହୋଇନଥିବା ବେଳେ କୃଷି କ୍ଷେତ୍ର ସବୁଠୁ ଅବହେଳିତ ହୋଇ ରହିଛି ଯାହାକୁ କଂଗ୍ରେସ ନିର୍ବାଚନୀ ମୁଦ୍ଦା କରି ଘରେ ଘରେ ବୁଲିବ ବୋଲି ପ୍ରଦୀପ ମାଝୀ କହିଛନ୍ତି ।

ସୁନ୍ଦରଗଡରେ ଦ୍ୱିତୀୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି ପ୍ରାର୍ଥୀ । ସୁନ୍ଦରଗଡ ଲୋକସଭା ଆସନରେ ଏଥର ତ୍ରିମୁଖି ଲଢେଇ ହେବାର ସମ୍ଭାବନା ଥିବା ବେଳେ ପ୍ରଚାରକୁ ଯୋରଦାର କରିଛନ୍ତି ବିଜେପି ହେଭିୱେଟ୍ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଆଉ ସୁନ୍ଦରଗଡ ବିଧାନସଭା ଆସନର ଚର୍ଚିତ ପ୍ରାର୍ଥୀ କୁସୁମ ଟେଟେ । ବିଜେଡି ଛାଡି ନିକଟରେ ଗେରୁଆ ଶିବିରରେ ମିଶିଥିବା କୁସୁମଙ୍କୁ ବିଜେପି ଟିକଟ ଦେବା ପରେ ସେ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି । ହେମଗିରି ବ୍ଲକର ବିଲେଇମୁଣ୍ଡା ଏବଂ ଲେଫ୍ରିପଡା ବ୍ଲକର ଦର୍ଲିପାଲିରେ ରୋଡ ସୋ, ବାଇକ୍ ରାଲି ଏବଂ ସାଧାରଣ ସଭାର ଆୟୋଜନ କରି ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଦ୍ୟମ ଚଳାଇଛନ୍ତି ଉଭୟ ଜୁଏଲ ଓରାମ ଓ କୁସୁମ ଟେଟେ । ଓଡିଶା ପରିବର୍ତନ ଚାହୁଁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ୧୨୦ ପ୍ଲସକୁ ପୂରଣ କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।