ଇସ୍ରାଏଲ ରାଜନୀତିରେ ମୋଦିଙ୍କ ଛାପ : ବିଲ୍ଡିଂରେ ଲାଗିଛି ମୋଦିଙ୍କ ସହ ନେତାନ୍ୟାହୁଙ୍କ ବଡ଼ ବଡ଼ ପୋଷ୍ଟର

93

କନକ ବ୍ୟୁରୋ : ଇସ୍ରାଏଲ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛାପ । ଇସ୍ରାଏଲ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏବେ ସେଠାରେ ମୋଦିଙ୍କ ବଡ଼ ପୋଷ୍ଟର ଦେଖିବାକୁ ମିଳୁଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ମୋଦିଙ୍କ ବଡ଼ ବଡ଼ ପୋଷ୍ଟର ସେଠାରେ ଦେଖିବାକୁ ମିଳୁଛି । ସେପ୍ଟେମ୍ବର ୧୭ରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । କ୍ଷମତାକୁ ଫେରିବା ପାଇଁ ନେତାନ୍ୟାହୁ ଜୋରଦାର ପ୍ରୟାସ କରୁଛନ୍ତି । ନିର୍ବାଚନ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାରା ନେଇଛନ୍ତି ନେତାନ୍ୟାହୁ ।

ନିର୍ବାଚନୀ ହୋର୍ଡିଂ ଓ ପୋଷ୍ଟରରେ ମୋଦିଙ୍କ ସହ ନେତ୍ୟାନ୍ୟାହୁଙ୍କୁ ଦେଖିବାକୁ ମିଳୁଛି । ବ୍ୟାନରେ ମୋଦିଙ୍କ ଫଟୋ ତାଙ୍କର ଲୋକପ୍ରିୟତାକୁ ପ୍ରମାଣ କରୁଛି । ଇସ୍ରାଏଲର ଜଣେ ସାମ୍ବାଦିକ ଗତକାଲି ଏହି ବ୍ୟାନରର ଏକ ଫଟୋ ପୋଷ୍ଟ କରିଥିଲେ । ଏକ ବିଲ୍ଡିଂ ବାହାରେ ଲାଗିଛି ମୋଦି ଓ ନେତାନ୍ୟାହୁଙ୍କ ପୋଷ୍ଟର । ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ମଧ୍ୟ ନେତାନ୍ୟାହୁଙ୍କ ପୋଷ୍ଟର ଲାଗିଛି ।

 

ଠିକ୍ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ୯ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଆସୁଛନ୍ତି । ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ନେତାନ୍ୟାହୁ ନିଜକୁ ବିଶ୍ୱସ୍ତରୀୟ ନେତା ଭାବେ ଭୋଟରଙ୍କ ଆଗରେ ନିଜକୁ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି । ତେଣୁ ମୋଦି, ଟ୍ରମ୍ପ ଓ ପୁତିନଙ୍କ ଭଳି ନେତାଙ୍କ ସହ ତାଙ୍କ ଫଟୋକୁ ପୋଷ୍ଟରରେ ସାମିଲ କରାଯାଉଛି ।

ଭାରତ ଓ ଇସ୍ରାଏଲ ମଧ୍ୟରେ ଭଲ ସମ୍ମନ୍ଧ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେଞ୍ଜାମିନ୍ ନେତନ୍ୟାୟୁ ଉଭୟେ ଭଲ ବନ୍ଧୁ ମଧ୍ୟ । ନିକଟ କିଛି ବର୍ଷ ମଧ୍ୟରେ ଦୁଇ ଦେଶରେ ଆର୍ଥିକ, ସାମରିକ ସମ୍ମନ୍ଧ ଉଚ୍ଚସ୍ତରାରେ ପହଞ୍ଚିଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଶ୍ୱ ସ୍ତରର ନେତା ମାନଙ୍କ ମଧ୍ୟରେ ବେଞ୍ଜାମିନ୍ ନେତନ୍ୟାୟୁ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।