କନକ ବ୍ୟୁରୋ : ପୁରୀରେ ବଙ୍ଗାଳୀ ଛାପ... ପ୍ରତି ହୋଟେଲରେ ଲାଗିଛି ବଙ୍ଗଳାରେ ଲେଖାଥିବା ସାଇନ୍ବୋର୍ଡ । ଉଭେଇ ଯାଇଛି ଓଡ଼ିଆ ଭାଷା । ପୁରୀକୁ ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ, ଏପରିକି ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ବୁଲି ଆସିଥାନ୍ତି । ଆଉ ଓଡ଼ିଶା ପାଇଁ ଏହା ଏକ ଭଲ ଖବର ମଧ୍ୟ, କିନ୍ତୁ ଦୁର୍ଭାଗ୍ୟର ବିଷୟ ପୁରୀ ଜଗନ୍ନାଥ ଧାମ, ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ସଂସ୍କୃତି ଯାହାକୁ ନେଇ ଆମେ ଗର୍ବ କରୁଛେ ସେତେବେଳେ ଆମେ ଓଡିଆ ଭାଷାଟି ଭୂଲିଯାଉଛେ କେମିତି ? ଏହି ଦୃଶ୍ୟ ସବୁ ଦେଖିଲେ ଯେତିକ କଷ୍ଟ ଲାଗୁଛି ତାଠାରୁ ବେଶି ଲଜ୍ଜିତ ବି ଲାଗୁଛି । ଆମର ସାମାନ୍ୟତମ ଭାଷା ପ୍ରୀତି କେମିତି ନାହିଁ?
ପୁରୀର ପ୍ରତିଟି ହୋଟେଲ୍, ପ୍ରତିଟି ଦୋକାନରେ ଲାଗିଛି ବଙ୍ଗଳାରେ ଲେଖାଥିବା ସାଇନ୍ ବୋର୍ଡ । ଛୋଟ ଛୋଟ ଅକ୍ଷର ନୁହେଁ, ବଡ ବଡ ଅକ୍ଷରରେ ବଙ୍ଗଳା ଭାଷାରେ ଲେଖାଯାଉଛି ହୋଟେଲର ନାଁ ଏବଂ ହୋଟେଲର ସୂଚୀ ପତ୍ର । ବଙ୍ଗଳା ଭାଷା ତଳେ ରହିଛି ଇଂରାଜୀ ଅକ୍ଷରରେ ଲେଖାଥିବା ସାଇନ୍ ବୋର୍ଟ, କିନ୍ତୁ ଓଡିଆ ଭାଷାର ଚିହ୍ନବର୍ଣ୍ଣ ନାହିଁ । ଯଦି ମିଳୁଛି ତାହା ଏତେ ଛୋଟ ଛୋଟ ଅକ୍ଷରରେ ଲେଖାଯାଇଛି ତା ବି ଆପଣଙ୍କୁ ଖୋଜିବାକୁ ପଡିବ । ଏପରିକି ଗୋଟେ ଗୋଟେ ହୋଟେଲର ନାମଫଳକରେ ବିଲକୁଲ ଓଡ଼ିଆ ଭାଷା ହିଁ ଦେଖିବାକୁ ମିଳିବ ନାହିଁ । ଏହାଠାରୁ ଦୁର୍ଭାଗ୍ୟଜନକ ଚିତ୍ର ଆଉ କଣ ହୋଇପାରେ ଆମ ପାଇଁ...
ଜଗନ୍ନାଥ ଧାମ ପୁରୀ ବାବଦରେ ଏପରି ଲେଖିଲା ବେଳକୁ ମନକୁ କଷ୍ଟ ହେଉଛି ସତ, କିନ୍ତୁ ଏହା ହିଁ ବାସ୍ତବତା... ପୁରୀର ଗଳି କନ୍ଦିରେ ଗଲାବେଳକୁ ଏହା ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ ଭଳି ଅନୁଭବ ହେଉଛି । ପୁରୀ ନୁହେଁ କୋଲକାତା ଭଳି ବି ଲାଗୁଛି । ଓଡ଼ିଆ ଭାଷା ଯେପରି ଏଠାରୁ ଉଭେଇ ଯାଇଛି । ଶ୍ରୀକ୍ଷେତ୍ର ଆମ ପରିଚୟ , ଜଗନ୍ନାଥ ଆମ ଭାବନା , ଭାବାବେଗ, ଆବେଗ । ଏହିଠାରେ ହିଁ ଓଡିଆ ଭାଷାଟି ଉପେକ୍ଷିତ ହୋଇଯିବ ଏହାକୁ ସହଜରେ ହଜମ କରିହେଉନି ।
ମୁଁ ଓଡିଆ, ମୋ ଭାଷା ମୋ ପରିଚୟ, ମୋ ଗର୍ବ । ହେଲେ ପୁରୀରେ ଥିବା ହୋଟେଲଗୁଡ଼ିକର ସାଇନ୍ ବୋର୍ଡକୁ ଦେଖିଲେ କଷ୍ଟ ଲାଗୁଛି । ନିଜ ଭାଷାକୁ ମାଟିରେ ମିଶାଇ ଦେବା, ଆମ ସଂସ୍କୃତି ପରମ୍ପରାକୁ ଭୁଲିଯିବା, କଣ ଏସବୁ ଓଡ଼ିଆ ଅସ୍ମିତା। ଏହା ଉପରେ ସରକାରଙ୍କ ଦୃଷ୍ଟି ପଡୁନି । ଜିଲ୍ଲା ପ୍ରଶାସନର ଏହା କଣ ଅଜ୍ଞତା ନା ଜାଣିଶୁଣି ଏହାକୁ ନଜର ଅନ୍ଦାଜ କରାଯାଇଛି? କେବେ ତତ୍ପରତା ଦେଖାଇବେ ଆମ ଭାଷା ପ୍ରେମୀ । କେମିତି ଆମ ଭିତରେ ଥିବା ସେହି ଭାଷା ପ୍ରେମଟି ମରିଯାଉଛି । ଯେଉଁ ଜାତିର ପରିଚୟ ତାର ଭାଷା , ସେ ରାଜ୍ୟ ସେତିକି ସମୃଦ୍ଧଶାଳୀ ।
ଏ ରିପୋର୍ଟ ପଢ଼ିବା ପରେ ଆମେ ଆଶା କରୁଛୁ ଯେ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବ । ଭାଷା ପ୍ରେମୀ ଆଗକୁ ଆସିବେ । ଯେପର୍ଯ୍ୟନ୍ତ ଏହା ପରିବର୍ତ୍ତନ ନହୋଇଛି, ଯେପର୍ଯ୍ୟନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନହୋଇଛି, ସେ ପର୍ଯ୍ୟନ୍ତ ଖବର ବାଜିବା ଜାରି ରହିବ । ଆଉ ଏହି ଅଭିଯାନ କେବଳ ପୁରୀ ଭିତରେ ସିମିତ ରହିବ ନାହିଁ, ସାରା ରାଜ୍ୟକୁ ବ୍ୟାପିବ...