କନକ ବ୍ୟୁରୋ: ନୂଆପଡ଼ାରେ ଆଜି ସବୁ ଦଳ ଶକ୍ତି ପ୍ରଦର୍ଶନ କରିବେ । ମିଶ୍ରଣ ପର୍ବର ଆୟୋଜନ କରି ବଳ ବଢ଼ାଉଥିବା ସବୁ ରାଜନୈତିକ ଦଳ ଆଜି ନୂଆପଡାରେ ନିଜ ନିଜର ଦମ୍ ଦେଖାଇବେ । ଶୋଭାଯାତ୍ରାରେ ଯାଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ନେତା ଓ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ଘର ଘର ବୁଲି ପ୍ରଚାର କରୁଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମଝୀ ମଧ୍ୟ ଶକ୍ତି ଦେଖାଇବେ । ବିଧିବଦ୍ଧ ଭାବେ ନାମାଙ୍କନ ଭରିବେ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବି ନୂଆପଡ଼ାରେ ଦମ ଦେଖାଇବାକୁ ଯୋଜନା କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରଚାର ମଇଦାନରେ ଆରମ୍ଭ ହେବ ଲଢେଇ ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼ : କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ
ସେପଟେ ନୂଆପଡା ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ୪୦ ଜଣିଆ ତାଲିକା ଘୋଷଣା କରିଛି ଦଳ । ଅନେକ ଜାତୀୟସ୍ତରର ନେତୃବୃନ୍ଦଙ୍କୁ ମଧ୍ୟ ନୂଆପଡା ପ୍ରଚାର ମୈଦାନକୁ ଓହ୍ଲାଇବ କଂଗ୍ରେସ । ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ ପ୍ରଚାର ମୈଦାନକୁ ଓହ୍ଲାଇବେ । ଏମାନଙ୍କ ବ୍ୟତୀତ ଜାତୀୟ ସ୍ତରର ଚେହେରା ଭାବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, କଂଗ୍ରେସ ବିଧାୟକ ତଥା ସାଧାରଣ ସମ୍ପାଦକ ସଚିନ୍ ପାଇଲଟ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କଂଗ୍ରେସ ଛାତ୍ର ସଭାପତି କହ୍ନେୟା କୁମାର, ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା ପ୍ରଚାରକୁ ଆସିବେ । ସେହିଭଳି ତାରାପ୍ରସାଦ ବାହିନୀପତି, ରାଜନ ଏକ୍କାଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିବ । ନିର୍ବାଚନ ତାରିଖ ଘୋଷଣା ପରଠାରୁ ନୂଆପଡାରେ କ୍ୟାମ୍ପ କରି ରହିଛନ୍ତି ଭକ୍ତ ଦାସ ।
ବିଜେଡି ମଧ୍ୟ ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ନୂଆପଡ଼ା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ସହିତ ବିଜେଡିର ତମାମ ନେତା ନୂଆପଡ଼ାରେ ପ୍ରଚାର କରିବେ । ଏଥିପାଇଁ ଏକ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ରହିଥିବାବେଳେ, ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ମଧ୍ୟ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଟକର ନେତା ଦେବାଶିଷ ସାମନ୍ତରାୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ନାହାଁନ୍ତି ।