କନକ ବ୍ୟୁରୋ: ଉପନିର୍ବାଚନ ପାଖେଇ ଆସୁଥିବାବେଳେ ନୂଆପଡ଼ାରୁ ଆସିଲା ରୋଚକ ଦୃଶ୍ୟ । ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ବିଜେପି, ବିଜେଡି ଭିତରେ ଟଣାଓଟରା । ଉଭୟ ବିଜେଡି, ବିଜେପି ପୋଷ୍ଟରରେ ଦେଖିବାକୁ ମିଳିଛି ଦିବଙ୍ଗତ ନେତାଙ୍କ ଫଟୋ । ନବୀନଙ୍କ ନୂଆପଡ଼ା ଯୋଦ୍ଧା ପୋଷ୍ଟରରେ ରାଜେନ୍ଦ୍ରଙ୍କ ଫଟୋ ଥିବାବେଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରଖିଛନ୍ତି ବାପାଙ୍କ ଫଟୋ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । 

Advertisment

ସେପଟେ ଆଜି ନୂଆପଡ଼ାରେ ସବୁ ଦଳ ଶକ୍ତି ପ୍ରଦର୍ଶନ କରିବେ । ମିଶ୍ରଣ ପର୍ବର ଆୟୋଜନ କରି ବଳ ବଢ଼ାଉଥିବା ସବୁ ରାଜନୈତିକ ଦଳ ଆଜି ନୂଆପଡାରେ ନିଜ ନିଜର ଦମ୍ ଦେଖାଇବେ । ଶୋଭାଯାତ୍ରାରେ ଯାଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ନେତା ଓ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ଘର ଘର ବୁଲି ପ୍ରଚାର କରୁଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମଝୀ ମଧ୍ୟ ଶକ୍ତି ଦେଖାଇବେ । ବିଧିବଦ୍ଧ ଭାବେ ନାମାଙ୍କନ ଭରିବେ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବି ନୂଆପଡ଼ାରେ ଦମ ଦେଖାଇବାକୁ ଯୋଜନା କରିଛନ୍ତି ।  ନାମାଙ୍କନ ଦାଖଲ ପରେ ପ୍ରଚାର ମଇଦାନରେ ଆରମ୍ଭ ହେବ ଲଢେଇ ।