କନକ ବ୍ୟୁରୋ: ଟିଏମସିର ଆଇଟି ସେଲ୍ ମୁଖ୍ୟଙ୍କ ଘର ଉପରେ ଇଡି ଚଢାଉ ପରେ ତେଜିଛି ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କଳି । ତୃଣମୂଳକ କଂଗ୍ରେସ ପକ୍ଷରୁ ଏନେଇ କୋଲକାତାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ ଦୁଇଟି ଏଫଆଇଆର୍ ଦାୟର କରିଛନ୍ତି ଏବଂ କୋଲକାତାରେ ବଡ଼ ଶୋଭାଯାତ୍ରାର ନେତୃତ୍ବ ମଧ୍ୟ ନେଇଛନ୍ତି । ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କୋଇଲା ଦୁର୍ନୀତି ଟଙ୍କା ଦିଲ୍ଲୀର ବରିଷ୍ଠ ବିଜେପି ନେତାଙ୍କ ପାଖରେ ପହଞ୍ଚୁଛି । ମୋ ପାଖରେ ଏହାର ପ୍ରମାଣ ଅଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ପେନ୍ ଡ୍ରାଇଭ୍ ଅଛି । ଆବଶ୍ୟକ ହେଲେ ମୁଁ ଏହାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବି ବୋଲି ସେ ଖୋଲାଖୋଲି ଧମକ ମଧ୍ୟ ଦେଇଛନ୍ତି । 

Advertisment

ଉପକୂଳରୁ ଉପାନ୍ତ ସବୁଠି ଥଣ୍ଡାର ଥାର୍ଡ ଡିଗ୍ରି: ୧୦ ଡିଗ୍ରି ତଳେ ରାଜ୍ୟର ୨୫ ସହରର ତାପମାତ୍ରା

ନିର୍ବାଚନ କମିଶନରେ ଥିବା ଜଣେ ଅଧିକାରୀ ପୂର୍ବରୁ ଅମିତ ଶାହଙ୍କ ସମବାୟ ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ । ମୋର ଏଥିରେ କୌଣସି ବ୍ୟକ୍ତିଗତ ଆପତ୍ତି ନାହିଁ, କିନ୍ତୁ ବିଜେପି ହରିୟାଣା ଏବଂ ବିହାରରେ ବଳପୂର୍ବକ କ୍ଷମତା ହାସଲ କରିଥିଲା, ଏବଂ ବର୍ତ୍ତମାନ ବଙ୍ଗଳାରେ ସମାନ ପ୍ରୟାସ କରାଯାଉଛି । ଏହାକୁ କୌଣସି ବି ପରିସ୍ଥିତିରେ ବରଦାସ୍ଥ କରାଯିବ ନାହିଁ ବୋଲି ମମତା କହିଛନ୍ତି । ବୟସ୍କ ଏବଂ ଗର୍ଭବତୀ ମହିଳା ସମେତ ଏସ୍‌ଆଇଆର୍ ନାମରେ ଲୋକଙ୍କୁ ହଇରାଣ କରାଯାଉଛି । ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ବାଂଲାଦେଶୀ କୁହାଯାଉଛି । ବିଜେପି ରୋହିଙ୍ଗ୍ୟାମାନଙ୍କ ବିଷୟରେ କଥାବାର୍ତ୍ତା କରୁଛି । କିନ୍ତୁ ଯଦି ଆସାମରେ ରୋହିଙ୍ଗ୍ୟା ଅଛନ୍ତି, ତେବେ ସେଠାରେ ଏସ୍‌ଆଇଆର୍ କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଇଡି ଚଢାଉ ସମୟରେ ଦଳର ତଥ୍ୟ ଏବଂ ରଣନୀତି ଚୋରି କରିବାକୁ ଚେଷ୍ଟା କରିଥିଲା । ମୁଁ ଏହାର ବିରୋଧ କରି କିଛି ଭୁଲ୍ କରିନାହିଁ ବୋଲି କହିଛନ୍ତି ମମତା ।