ପାରିବେନି କେହି ଅଲଗା କରି । ପ୍ରେମରେ ଅମର ହୋଇଗଲେ ହବର୍ଟ ଓ କାଲିସା । ରୋଗ ଓ ଯନ୍ତ୍ରଣାସିକ୍ତ ଜୀବନରୁ ମିଳିଗଲା ମୁକ୍ତି । ଏକସଙ୍ଗେ ଦୁନିଆକୁ ଅଲବିଦା କହିଲେ ସିଂହସିଂହୀ

352

କନକ ବ୍ୟୁରୋ : ଏକାଠି ଜିଇଁଲୁ ଏକାଠି ମରିବୁ । ପ୍ରେମରେ ପାଇଁ ଏକସଙ୍ଗେ ଦୁନିଆ ଛାଡ଼ିଲେ ହବର୍ଟ ଓ କାଲିସା । ସଙ୍କଟ ସମୟରେ ସବୁଦିନ ପାଇଁ ଅମର ହୋଇଗଲା ଚିଡ଼ିଆଖାନାର ରାଜାରାଣୀଙ୍କ କାହାଣୀ । ଜଣେ ଜଣଙ୍କ ବିନା ବଞ୍ଚିବା ଅପେକ୍ଷା, ଯନ୍ତ୍ରଣାସିକ୍ତ ଜୀବନକୁ ଅଲବିଦା କହିବାକୁ ଶ୍ରେୟ ମଣିଲେ ସିଂହସିଂହୀ । ସତରେ ଜୀବନଟା କେତେ ବେଦନାପୂର୍ଣ୍ଣ । କିଏ ପ୍ରେମରେ ଜୀବନଲାଭ କରେ, ତ ଆଉ କିଏ ଜୀବନ ଦାନ କରେ । ଆଉ ଏଇ ପ୍ରେମ ପାଇଁ ମୃତ୍ୟୁକୁ ହସି ହସି ଆଲିଙ୍ଗନ କଲେ ଚିଡ଼ିଆଖାନାର ରାଜା ଆଉ ରାଣୀ ।

ପ୍ରେମର ମହାଯାତ୍ରାରୁ ଜୀବନର ଶେଷଯାତ୍ରା । ଆମେରିକାର ଲସ୍ ଆଞ୍ଚିଲେସର ଏକ ଚିଡ଼ିଆଖାନାର ସିଂହସିଂହୀ ହବର୍ଟ ଓ କାଲିସା । ଉଭୟଙ୍କ ବୟସ ୨୧ ବର୍ଷ । ଜଙ୍ଗଲର ନୁହଁ ଚିଡ଼ିଆଖାନାର ଗର୍ବ । ୨୦୧୪ରେ ହୁଏ ଉଭୟଙ୍କ ପ୍ରଥମ ଦେଖା । ଆଉ ପ୍ରଥମ ଦେଖାରୁ ହିଁ ପ୍ରେମର ବୀଜ ଅଙ୍କୁରିତ ହୋଇ ମହାଦ୍ରୁମରେ ପରିଣତ ହୁଏ । ଆଉ ସେବେଠାରୁ ଏକସଙ୍ଗେ ରୁହନ୍ତି ହବର୍ଟ ଓ କାଲିସା । ଚିଡ଼ିଆଖାନାରେ ସାଥୀ ହୋଇ ରହିବା ସହ ସାଥୀ ହୋଇ ବୁଲିବା ଓ ସାଥୀ ହୋଇ ବିଶ୍ରାମ କରିବା ସବୁକିଛି ଏକାଠି କରୁଥିଲେ ସିଂହସିଂହୀ । ଉଭୟଙ୍କ ପ୍ରେମର ମହକରେ ମରୁଭୂମି ପରି ଲାଗୁଥିବା ଚିଡ଼ିଆଖାନ ବି ସବୁଜିମାମୟ ଜଙ୍ଗଲ ପରି ମନେ ହୁଏ ।

ହେଲେ ବୟସ କ’ଣ ପ୍ରେମ ଦେଖେ ? ବୟସ ବଢ଼ିଲେ କାବୁରେ ରହେନି ଶରୀର । ଧୀରେ ଧୀରେ ଉଭୟଙ୍କ ଉପରେ ମାଡ଼ି ବସିଥିଲା ରୋଗ ଆଉ ବାର୍ଦ୍ଧକ୍ୟ । ବୟସାଧିକ୍ୟ ଯୋଗୁଁ ଚଲାବୁଲା କରିପାରିଲେନି ହବର୍ଟ ଓ ଆଲିସା । ଆଉ ହସଖୁସରେ ଜୀବନ ବିତାଉଥିବା ସିଂହସିଂହୀଙ୍କ କଷ୍ଟ ଓ ଯନ୍ତ୍ରଣାଦାୟକ ଜୀବନ ଦେଖିପାରିଲେନି ଚିଡ଼ିଆଖାନା କର୍ତ୍ତୃପକ୍ଷ । ରୋଗଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ କଠୋର ନିଷ୍ପତ୍ତି ନେଇଥିଲେ । ଫଳରେ ଉଭୟଙ୍କୁ ଏକାସଙ୍ଗେ ଦୁନିଆ ଛାଡ଼ିବାକୁ ସୁଯୋଗ ମିଳିଲା । ଆଉ ସବୁଦିନ ପାଇଁ ଏହି ଯନ୍ତ୍ରଣା ଜର୍ଜରିତ ଜୀବନରୁ ସ୍ୱାଧୀନ ହୋଇଗଲେ ଚିଡ଼ିଆଖାନାର ରାଜାରାଣୀ ।