ଶିଳ୍ପ ଖାଇଲା ଜଙ୍ଗଲ :  ଶିଳ୍ପର ବିକାଶ ପାଇଁ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ, ଗୃହରେ ଉତ୍ତର ରଖିରେ ଜଙ୍ଗଲ ପରିବେଶ ମନ୍ତ୍ରୀ  

164

କନକ ବ୍ୟୁରୋ :  ଶିଳ୍ପ ଖାଇଲା ଜଙ୍ଗଲ ।  ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା ।  ବିକାଶ ନାଁରେ ବିନାଶ ହେଉଛି ।  ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଉଛି  ।  ଶିଳ୍ପର ବିକାଶ ପାଇଁ ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ । ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ୨୦୧୦ରେ ରାଜ୍ୟରେ କେତେ ଜଙ୍ଗଲ ଜମି ଥିଲା ? କେଉଁ କେଉଁ ବର୍ଷରେ ଜିଲ୍ଲାରେ କେତେ ଜଙ୍ଗଲ ଜମି କେଉଁ କେଉଁ ଶିଳ୍ପ ସଂସ୍ଥାକୁ ଦିଆଯାଇଛି ? ସରକାର ଜଙ୍ଗଲ ସୃଷ୍ଟି କରିବା ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି । ଏହାର ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରାଯାଉ ବୋଲି ଶୂନ୍ୟକାଳରେ ଦାବି କରିଥିଲେ କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଡେରାଡୁନ ଦ୍ୱାରା ଜଙ୍ଗଲିଆ ଅଞ୍ଚଳରେ ସର୍ବେକ୍ଷଣ କରାଯାଇ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଥରେ ତଥ୍ୟ ପ୍ରଦାନ କରାଯାଉଛି । ୨୦୧୧ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୫୮୧୩୬ ବର୍ଗ କିମି ଜଙ୍ଗଲ ଜମି ଥିଲା । ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜମି ଜଙ୍ଗଲ ନଷ୍ଟ ହୋଇଛି । ସମ୍ବଲପୁର, ଅନୁଗୋଳ, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ନଷ୍ଟ ହୋଇଛି ଜଙ୍ଗଲ ଜମି ।

ଅନ୍ୟପଟେ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଯୋଜନା ମାଧ୍ୟମରେ ୨୧ ଲକ୍ଷ ୨୭ ହଜାର ୬୮୬ ହେକ୍ଟର ଜମିରେ ବନୀକରଣ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।