ପଦାରେ ପଡ଼ିଲା ବିଶ୍ୱବିଦ୍ୟାଳୟ ଗୁଡ଼ିକର ହୁଗୁଳା ଚେହେରା ! ଠିକ୍ ସମୟରେ ହେଉନି ପରୀକ୍ଷା ଓ ପ୍ରଶ୍ନପତ୍ରରେ ରହୁଛି ତ୍ରୁଟି, ଉଦବଗେ ପ୍ରକାଶ କଲେ ରାଜ୍ୟପାଳ

50

କନକ ବ୍ୟୁରୋ : ରାଜ୍ୟରେ ଠିକ ଭାବେ ଚାଲିନି ଉଚ୍ଚଶିକ୍ଷାର ଶୈକ୍ଷିକ ବାତାବରଣ । ସରକାରୀ ବିଶ୍ୱବିଦ୍ୟାଳୟରେ ଅନେକ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଉନାହିଁ । ଭୁଲ୍ ପ୍ରଶ୍ନପତ୍ର ଆସୁଛି । ଠିକ୍ ସମୟରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦିଆଯାଉନାହିଁ । ଏ ନେଇ ଆଜି କୁଳପତି ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ।

ଓଡିଶାରେ କେମିତି ଅଛି ଶୈକ୍ଷିକ ବାତାବରଣ , ବିଶ୍ୱବିଦ୍ୟାଳୟଗୁଡିକରେ କେମିତି ଚାଲିଛି ପାଠପଢା । ସେ ନେଇ ଆଜି ଓଡିଶାର ନବନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କୁଳପତିଙ୍କ ସମ୍ମିଳନୀରେ ନିଜେ ଅବଗତ ହୋଇଛନ୍ତି ଏବଂ କୁଳପତିମାନଙ୍କୁ ନିଜର ଉଦବେଗ ଜଣାଇଛନ୍ତି । ଓଡିଶାର ୧୭ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବେଶ କିଛି କଡା ସତ ସିଧାସିଧା ଶୁଣାଇଛନ୍ତି । ରାଜ୍ୟପାଳଙ୍କ ସଚିବାଳୟକୁ କଣ ସବୁ ଅଭିଯୋଗ ଆସିଛି ସେ ନେଇ କୁଳପତିମାନଙ୍କୁ ଅବଗତ କରାଯାଇଛି । ରାଜ୍ୟପାଳଙ୍କ ସଚିବାଳୟକୁ କ’ଣ ସବୁ ଅଭିଯୋଗ ଆସିଛି, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ।

୧-ବିଶ୍ୱବିଦ୍ୟାଳୟଗୁଡିକରେ ଠିକ ସମୟରେ ପରୀକ୍ଷା ହେଉନାହିଁ

୨-ଠିକ ସମୟରେ ପରୀକ୍ଷାଫଳ ପ୍ରକାଶ ପାଉନାହିଁ

୩-ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଠିକ ସମୟରେ ସାର୍ଟିଫିକେଟ ମିଳୁନାହିଁ

୪-ଦାୟିତ୍ୱହୀନ ଏବଂ ତ୍ରୁଟିପୂର୍ଣ୍ଣ ଭାବେ ଖାତା ଦେଖାଯାଉଛି

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶୃଙ୍ଖଳାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ । ନିକଟରେ ଛାତ୍ର ବିଶୃଙ୍ଖଳା ଯୋଗୁଁ ରେଭେନ୍ସାରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିବା ରାଜ୍ୟପାଳଙ୍କ ନିକଟରେ ରିପୋର୍ଟ ହୋଇଛି । ସଂପୃକ୍ତ କୁଳପତିଙ୍କୁ ଏ ନେଇ ରିପୋର୍ଟ ତଲବ ହୋଇଛି । ନିକଟରେ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଶହେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର ଗୋଟିଏ ମଧ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନଥିଲା । ଏବେ ଏହା ଉପରେ ବିଚାର କରିବାର ବେଳ ଆସିଛି ।