କନକ ବ୍ୟୁରୋ : ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧିକାର ଯେପରି କ୍ଷୁର୍ଣ୍ଣ ନ ହୁଏ, ସେଥିପାଇଁ ଜାତୀୟ ଶିକ୍ଷା ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର)ଙ୍କ ପକ୍ଷରୁ କଡ଼ା ନିୟମ ରହିଛି । ତେବେ ବିଗତ କିଛି ଦିନ ହେଲା ଲଗାତାର ଭାବେ ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନଜରକୁ ଆସିଛି । ଏନେଇ ସାରା ଦେଶରୁ ଏନ୍ସିପିସିଆର ନିକଟରେ ଅନେକ ଅଭିଯୋଗ ଆସିବା ପରେ ନିୟମକୁ କଡ଼ାକଡ଼ି କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି । ଗତ ଜୁନ୍ ୧୩ ତାରିଖରେ ଏହି ନିର୍ଦେଶ ପହଞ୍ଚିବା ପରେ ଏବେ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ଅଧୀନରେ ଥିବା ସମସ୍ତ ନିର୍ଦେଶାଳୟ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।
ଏନ୍ସିଇଆରଟି ଓ ଏସ୍ସିଇଆରଟି ଦ୍ବାରା ପ୍ରକାଶିତ ପୁସ୍ତକ ବଦଳରେ ଅନ୍ୟ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ିବା ଲାଗି ବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିପାରିବେ ନାହିଁ । ବାରମ୍ବାର ତାଗିଦ୍ ସତ୍ତ୍ବେ କିଛି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି । ଏନ୍ସିଇଆରଟି ଓ ଏସ୍ସିଇଆରଟି ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ଅବହେଳା କରିପାରିବେ ନାହିଁ କି ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦେଇପାରିବେ ନାହିଁ ।
ଯଦି କୌଣସି ବିଦ୍ୟାଳୟ ଏଭଳି କରୁଥିବା ଦୃଷ୍ଟିଗୋଚର ହୁଏ କିମ୍ବା ଅଭିଯୋଗ ଆସେ, ତେବେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ-୨୦୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଏ ସମ୍ପର୍କରେ ବିଦ୍ୟାଳୟଗୁଡ଼ିକ ସ୍କୁଲ ୱେବସାଇଟ୍ ଓ ନୋଟିସ୍ ବୋର୍ଡରେ ଉଲ୍ଲେଖ କରିବେ । ଏଥିସହ ସ୍କୁଲ କର୍ତୃପକ୍ଷ ନୋଟିସ୍ର ଏକ ନକଲ ଅଭିଭାବକଙ୍କ ନିକଟକୁ ପଠାଇବେ । ଛାତ୍ରଛାତ୍ରୀ ଯେମିତି ବିଦ୍ୟାଳୟରେ ଅବହେଳାର ଶିକାର ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣ କର୍ତୃପକ୍ଷ(ଓପେସା) ପକ୍ଷରୁ ସମସ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ସ୍କୁଲ ବ୍ୟାଗ୍ ବୋଝରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତି ଦେବାକୁ ଏନ୍ସିପିସିଆର ପକ୍ଷରୁ ପୁଣିଥରେ ନିର୍ଦେଶ ଦିଆଯାଇଛି। ଚଳିତ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ, ତାହା ସ୍ପଷ୍ଟ କରାଯାଇଛି। ଏଥିସହ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା, ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ଯାଞ୍ଚ, ଛାତ୍ରଛାତ୍ରୀ ବ୍ୟାଗ୍ ପକାଇବା ସମୟରେ ଯେପରି ଦୁଇ କାନ୍ଧକୁ ବ୍ୟବହାର କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।
ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ୧.୫ କେଜିରୁ କମ୍ ରହିବ । ବିଦ୍ୟାଳୟରେ ସେମାନଙ୍କୁ କେବଳ ମାତୃଭାଷା ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ । ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ । ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ, ପରିବେଶ ବିଜ୍ଞାନ, ଇଂରାଜୀ ଓ ମାତୃଭାଷା ବିଷୟରେ ଶିକ୍ଷା ପ୍ରଦାନ କରାଯିବ । ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍ର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ ।