ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ : ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ଅଧ୍ୟାପକଙ୍କ ଉପରେ ନଜର, ସରକାରଙ୍କ ନିର୍ଦ୍ଦେଶ ଖିଲାପ କଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ

ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ : ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ଅଧ୍ୟାପକଙ୍କ ଉପରେ ନଜର, ସରକାରଙ୍କ ନିର୍ଦ୍ଦେଶ ଖିଲାପ କଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ପ୍ରୋକ୍ଟୋରିଆଲ କମ୍‌ ମେଣ୍ଟରିଂ ସିଷ୍ଟମକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସରଙ୍କ ଅଧୀନରେ ପ୍ରତି କ୍ଲାସ୍‌ରୁ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ରହିବେ। ସେମାନଙ୍କ ପାଠପଢ଼ା ସହ ଗୁଣାତ୍ମକ ଶିକ୍ଷା ଦିଗରେ ସମ୍ପୃକ୍ତ ଅଧ୍ୟାପକ, ପ୍ରଫେସରମାନେ ପଦକ୍ଷେପ ଗ୍ରହଣ କରିବେ। ପିଲାଙ୍କ ପାଠପଢ଼ାର ଅଗ୍ରଗତି ନେଇ ନିୟମିତ ଭାବେ ଅଭିଭାବକଙ୍କୁ ଜଣାଇବେ। ଏହି ପ୍ରୋକ୍ଟୋରିଆଲ ସିଷ୍ଟମକୁ ଲାଗୁ କରିବାକୁ ୬ ମାସ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ।  ତେବେ କିଛି ବିଶ୍ବବିଦ୍ୟାଳୟ ଓ କଲେଜ ଏ ପର୍ଯ୍ୟନ୍ତ ପ୍ରୋକ୍ଟୋରିଆଲ ସିଷ୍ଟମକୁ କାର୍ଯ୍ୟକାରୀ କରି ନ ଥିବା ଜଣାପଡ଼ିଛି । ଯାହାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି।

ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି  ଏଣିକି ପ୍ରୋକ୍ଟୋରିଆଲ ସିଷ୍ଟମକୁ ଶିକ୍ଷାନୁଷ୍ଠାନରେ କଡ଼ାକଡ଼ି ଲାଗୁ କରାଯିବ। ଅଧ୍ୟାପକ ଓ ପ୍ରଫେସରଙ୍କ ଦରମାକୁ ପ୍ରୋକ୍ଟୋରିଆଲ ସିଷ୍ଟମରେ ଯୋଡ଼ିବାକୁ ବିଚାରବିମର୍ଶ କରାଯାଉଛି । ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ମଧ୍ୟ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ଯୋଜନା ହୋଇଛି । ତେଣୁ ଯେଉଁ କଲେଜର ଅଧ୍ୟାପକ ଓ ପ୍ରଫେସରମାନେ ଏବେ ସୁଦ୍ଧା ପ୍ରୋକ୍ଟୋରିଆଲ ସିଷ୍ଟମକୁ ଲାଗୁ କରିନାହାନ୍ତି ସେମାନେ ଯେତେ ସମ୍ଭବ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କିଛି ଦିନ ‌ତଳେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ୧୧୧ ଜଣ ଅଧ୍ୟାପକ କୋଚିଂ ସେଣ୍ଟର, ଟ୍ୟୁସନରେ ପଢ଼ାଉଥିବା ନେଇ ଏକ ତାଲିକା ପ୍ରକାଶ ପାଇଥିଲା । ଏହାକୁ ନେଇ ମନ୍ତ୍ରୀ ପୁଣିଥରେ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ନିର୍ଦେଶକୁ କିଏ କେଉଁଠି ଖିଲାପ କରୁଛନ୍ତି ତାହା ଉପରେ ନଜର ରଖାଯାଇଛି । ଯଦି କୌଣସି ଅଧ୍ୟାପକ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ପ୍ରମାଣ ମିଳେ ତାଙ୍କ ବିରୋଧରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe