ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡିଶା ? ସମୀକ୍ଷା କରିବେ ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍

68

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଓଡିଶାରେ ଭାରତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ । ଆଜିଠାରୁ ୩ଦିନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଏହି ଟିମ୍ । ନିର୍ବାଚନ କମିଶନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ର ଭୂଷଣ କୁମାର, ଡିକେ ଶର୍ମା, ସେଫାଳି ସରଣ, ନିଖିଳ କୁମାର, ରାକେଶ କୁମାର ଭୁବନେଶ୍ୱର ଆସିଛନ୍ତି । ଏହି ଟିମ୍ ସବୁ ରାଜନୈତିକ ଦଳ ଓ ସରକାରୀ ଅଫିସରମାନଙ୍କ ସହ ବୈଠକ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରାଜ୍ୟ ସରକାର କେତେ ପ୍ରସ୍ତୁତ ରହିଛନ୍ତି ସେନେଇ ଆଜିି ଦିନ ତମାମ ଟିକିନିଖି ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳ ।

ସବୁ ରାଜନୈତିକ ଦଳଙ୍କ ସହ ଆଜି ଆଲୋଚନା ପରେ ଆସନ୍ତାକାଲି ଏନଫୋର୍ସମେଂଟ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟ ନିର୍ବାଚନ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଏସ୍ପି ଓ ୩ ଆରଡିସିଙ୍କ ସହ ବି ଆଲୋଚନା ହେବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ କେନ୍ଦ୍ର ଅର୍ଧସାମରିକ ବାହିନୀ ମୁଖ୍ୟ ଓ ପୋଲିସ ନୋଡାଲ ଅଫିସରଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ, ଡିଜିପି , ଆଇନ ବିଭାଗ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ଟିମ୍ ।