ପ୍ରଦୂଷଣ ମୁକ୍ତ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ଅନୁଗୁଳର ଯୁକ୍ତ ଦୁଇ ଛାତ୍ରୀ : ‘ଇଜି ସଲ୍ୟୁସନ ଫର ପଲ୍ୟୁସନ’ ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହେଲେ ସୋନାଲି

307

କନକ ବ୍ୟୁରୋ : ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଦେଶର ଅନେକ ସହରର ପ୍ରଦୂଷଣ ମାତ୍ରା ବହୁତ ଅଧିକ । ଓଡିଶାର ଅନୁଗୁଳ ଓ ତାଳଚେର ସହରର ପ୍ରଦୂଷଣ କଥା କାହାକୁ ବା ଅଛପା । ଖଣି ଖାଦାନ ଓ କଳ କାରଖାନାର ଧୂଳିଧୂଆଁରେ ଅସ୍ତବ୍ୟସ୍ତ ଜୀବନ । ପ୍ରଦୂଷଣକୁ ନେଇ ପରିବେଶବିତ୍ ଓ ପ୍ରଶାସନକଳ ବୈଠକ କରୁଛନ୍ତି । ହେଲେ କିଛି ଫଳପ୍ରଦ ହେଉନାହିଁ । ଏତିକି ବେଳେ ପ୍ରଦୂଷଣ ମୁକ୍ତ ପ୍ରକଳ୍ପ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳର ଯୁକ୍ତ-୨ ଛାତ୍ରୀ ସୋନାଲି ମିଶ୍ର । ‘ଇଜି ସଲ୍ୟୁସନ ଫର ପଲ୍ୟୁସନ’ ନାମକ ଏକ ପ୍ରକଳ୍ପ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ସୋନାଲି ।

ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ଯୁକ୍ତ ସହର ତାଲିକାର ଚତୁର୍ଥ ସ୍ଥାନରେ ଅଛି ଅନୁଗୁଳ ସହର । ଖଣି ଖାଦାନର ଧୂଳି, କଳକାରଖାନାର ଧୂଆଁ ଅନୁଗୁଳ ଓ ତାଳଚେରବାସୀଙ୍କ ଜୀବନ ଯାତ୍ରାକୁ ବିଶେଷଭାବେ ପ୍ରଭାବିତ କରିଛି । ସହରର ପ୍ରଦୂଷଣ ମାତ୍ରା କମାଇବା ପାଇଁ ପ୍ରଶାସନ ଓ ପରିବେଶବିତ୍ ଉଦ୍ୟମ ଜାରି ରଖିଛନ୍ତି । ଏତିକି ବେଳେ ଯୁକ୍ତ-୨ର ଛାତ୍ରୀ ସୋନାଲି ମିଶ୍ର ଉଦ୍ଭାବନ କରିଛନ୍ତି ଏକ ନୂଆ ପ୍ରକଳ୍ପ । ଯାହାକି ସହଜ ଆଉ ସ୍ୱଳ୍ପ ଖର୍ଚ୍ଚରେ ପ୍ରଦୂଷଣ ନିୟନ୍ତ୍ରଣ କରିପାରିବ । ପ୍ରଦୂଷଣ ମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ସୋନାଲି କରିଛନ୍ତି ‘ଇଜି ସଲ୍ୟୁସନ ଫର ଏନଭାରମେଂଟ ପଲ୍ୟୁସନ’ ।

ସୋନାଲିଙ୍କ ଏହି ପ୍ରକଳ୍ପ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି । ସର୍ବଭାରତୀୟ ସ୍ତରରେ ବିଦ୍ୟା ଭାରତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗଣିତ-ବିଜ୍ଞାନ ପ୍ରତିଯୋଗୀତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ସୋନାଲିଙ୍କ ‘ଇଜି ସଲ୍ୟୁସନ ଫର ଏନଭର୍ଣ୍ଣମେଂଟ ପଲ୍ୟୁସନ’ ପ୍ରମାଣ ପତ୍ର । ବିଜ୍ଞାନ ଓ ନିଜର ଜ୍ଞାନ କୌଶଳ ସହଯୋଗରେ ତିଆରି ହୋଇଥିବା ଏହି ପ୍ରକଳ୍ପକୁ ଖଣି ଓ କଳକାରଖାନା କର୍ତ୍ତୃପକ୍ଷ ବ୍ୟବହାର କଲେ ମାଟି, ପାଣି ଓ ଶବ୍ଦ ପ୍ରଦୂଷଣ ମାତ୍ରା କମି ପାରିବ ବୋଲି ଯୁକ୍ତି ବାଢିଛନ୍ତି ସୋନାଲି ।